ଶିଶୁପ୍ରେମୀ ଜବାହର
ଶିଶୁପ୍ରେମୀ ଜବାହର
ଏ ମାଟିର ବରପୁତ୍ର ଜବାହର
ବିଶ୍ୱ ବିଦିତ ନାମ
ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତୁମେ
ଛୁଇଁଛ କୋଟି ମରମ
ଶିଶୁ ଙ୍କର ଅତି ପ୍ରିୟ
ସ୍ନେହ ପ୍ରେମ ଆଉ ଆପଣାପଣରେ
ଜିଣିଛ କେତେ ହୃଦୟ ।
ଶିଶୁ ହସିଦେଲେ ଦେଶ ହସି ଉଠେ
ଏ ଥିଲା ମନ ର କଥା
ସେଥିପାଇଁ ଶିଶୁ ଅତି ଆପଣାର
ତା ପାଖେ ନୁଅଇଁ ମଥା
ବିଧାତା ର ବରଦାନ
ତୁମ ଜନ୍ମଦିନ ଶିଶୁ ଦିବସ ଯେ
ହେଉଛି ଆଜି ପାଳନ।
ଶିଶୁର କଅଁଳ ଓଠରୁ ଝରଇ
ମମତା ର ମଧୁ ଝର
ତା ହସ ରେ ସତେ କି ଯାଦୁ ରହିଛି
ଶତ୍ରୁ ହୁଏ ଆପଣାର
ସେହି ଶିଶୁ ଟିର ପାଇଁ
ତୁମ ଜନ୍ମଦିନ ଉତ୍ସର୍ଗ କରିଛ
ମୁକୁଟ ବିହୀନ ସାଇଁ ।
ସବୁର ସର୍ଜନା ଶିଶୁ ହାତେ ଅଛି
ସେହିଁ ଦେଶ ଭବିଷ୍ୟତ
ତାର ବିକାଶ ରେ ହାତ ବଢ଼ାଇବା
ଚିନ୍ତନ ହେଉ ନିୟତ
ଏହା ଥିଲା ତୁମ ଭାଷା
ପ୍ରମାଣ କରିଛ କରି ତାହା ସବୁ
ଦେଇଛ କେତେ ଭରଷା ।
ମୁଁ ମଲା ପରେ ମୋର ଚିତା ଭଷ୍ମ
ମୋ ଜନ୍ମଭୂମି ମାଟିରେ
ବିଞ୍ଚି ଦେଵ ତାର କୋଣ ଅନୁକୋଣେ
ମୋ ଆତ୍ମା ଥିବ ସେଥିରେ
ଶେଷ ଇଛା ଏହା ଥିଲା
ଦେଶ ପାଇଁ କେତେ ଦରଦ ତୁମର
ଜଣା ପଡି ଯାଇ ଥିଲା ।
