STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଶିମିଳିପାଳରେ ରାତି

ଶିମିଳିପାଳରେ ରାତି

1 min
9.2K



ଶିମିଳିପାଳର ସ୍ନିଗ୍ଧ ତପୋବନ

ମୁଗ୍ଧ ବନାନୀ ର ମୃଦୁ ଶିହରଣ

ବତୁରିଯାଏ ମୋ ଛାତି

କୋଡିଏ ବର୍ଷର ଅଲିଭା ଅତୀତ

ପାହାଡି କନ୍ୟା ର ମଧୁର ସଂଗୀତ

ସ୍ମୃତି ପଥେ ସେହି ରାତି ।।


ଆକାଶ ଛାତିରେ ପୁନେଇଁ ର ଜହ୍ନ

ଢାଳି ଦେଉଥିଲା ଶୀତଳ ଚନ୍ଦନ

ସୋରିଷ ଫୁଲର କ୍ଷେତେ

ଜୌସ୍ନା ର ଲହରେ ମାଟିର ଅଗଣା

ଗାଉଥିଲା ଗୀତ ମଧୁର ମୂର୍ଚ୍ଛନା

ବିହଙ୍ଗ କାକଳି ସାଥେ ।।


ଲତା ଗହଳରେ ହସୁଥିଲା ଶୀତ

କାକର ବିନ୍ଦୁ ରେ ଢଳଢଳ ନୃତ୍ୟ

ତୁଷାରର ବୁକୁ ତଳେ

ସବୁଜ କେଦାର ଖେଳୁଥିଲା ଦୋଳି

ଶୀତୁଆ ପବନ ଛୁଉଁଥିଲା ଧୂଳି

ଶିଆଳି ଲତା ର କୋଳେ ।।


ଶାଳ, ପିଆଶାଳ, କଇମ, ଅସନ

କୁରୁମ ,ମହୁଲ ,ଶାଗୁଆନ ବଣ

କୁରେଇ ଫୁଲର ବାସ

ହୃଦୟ କୁ ମୋର ଛୁଇଁ ଯାଉଥିଲା

ମହୁଲି ମହୁଲି ବାସ ଭରୁଥିଲା

ପ୍ରକୃତିର ବଧୁ ବେଶ ।।


ଅଳସୀ ରାତିର ନୀରବ ପ୍ରହର

ସ୍ବପ୍ନ ଭରୁଥିଲା ମନ ମୋ ଅଧିର

ଶୀତର ପ୍ରକୋପ ଧାରେ

ଶିମିଳିପାଳର ପୁଣ୍ୟ ଚଟାଣରେ

କାଠ ବାଉଁଶ ର ନିଆଁ ଉହ୍ମେଇ ରେ

ବିତୁଥିଲା ରାତି ଧୀରେ ।।


ବାଘ ହରିଣଙ୍କ ଲୁଚକାଳି ଖେଳ

ଦନ୍ତା ଙ୍କ ଗର୍ଜନ ପକ୍ଷୀ କୋଳାହଳ

ଭାଙ୍ଗୁଥିଲା ନୀରବତା

ଶଙ୍କା ବଢୁଥିଲା ଛାତି ଥରୁଥିଲା

ଅଜଣା ଭୟରେ ପ୍ରାଣ କାନ୍ଦୁଥିଲା

ହସୁଥିଲେ ତରୁଲତା ।।


ଲଣ୍ଡା ପାହାଡ ର ଫୁଙ୍ଗୁଳା ଛାତିରେ

ମନ ଲାଖିଥିଲା ପ୍ରୀତି ପୁଲକରେ

ଝିଙ୍କାରୀ ଝଙ୍କାର ତାଳେ

ଅବଶ ଆଖି ମୋ ମୁଦି ହେଉଥିଲା

ନିଦ ପାଲିଙ୍କି ରେ ସ୍ବପ୍ନ ଆସୁଥିଲା

ବଳଙ୍ଗ ନଦୀର କୂଳେ ।।


ଭଙ୍ଗା କୁଡିଆରେ ଦିକି ଦିକି ଦୀପ

ମାଟିର ମଣିଷ ହୃଦୟ ନିଷ୍ପାପ

ନଇଁ ଆସୁଥିଲା ସ୍ବପ୍ନ

ମାଦଳ ର ସୁରେ ଆନନ୍ଦେ ବିଭୋର

ମହୁଲି ନିଶାରେ ନୃତ୍ୟ ର ଆସର

ହଜିଯାଉଥିଲା ମନ ।।


'ବରେହିପାଣି' ରେ ଜହ୍ନ ବୁଡୁଥିଲା

ଚମ୍ପକ ଫୁଲରୁ ବାସ ଝରୁଥିଲା

ରାତି ପାହୁଥିଲା ଧୀରେ

କେକୀ କଳରବ 'ଚହଲା' ର ଡାକ

ମନେ ଭରୁଥିଲା ଅପୂର୍ବ ପୁଲକ

ରବି ଉଉଁଥିଲେ ଧୀରେ ।।


ଶିମିଳିପାଳର ଜାତୀୟ ଉଦ୍ୟାନ

ମୋ ମନ ମନ୍ଦିରେ ଅଗରୁ ଚଂଦନ

ସୁରଭିରେ ତନୁ ସିକ୍ତ

ଏବେ ବି ଶୁଭୁଛି ତା' ମଧୁର ସ୍ବର

ତା' ଅପୂର୍ବ ଛନ୍ଦେ ଜୀବନ ବିଭୋର

ଝୁରେ ଯାହା ଅବିରତ ।।

-----------------

ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍