ଶୀତସକାଳେ ମୋ ଗାଁ
ଶୀତସକାଳେ ମୋ ଗାଁ
ମୋ ଗାଆଁରେ ଯେବେ ଶୀତୁଆ ସକାଳେ
ମଥାନ ଉପରେ ବସି,
କାଉ ରାବିଦେଲେ ଜଣା ପଡୁଥିଲା
ପାହିଗଲା ବୋଲି ନିଶି;
ଘର ଚଟିଆ ବି ପଶିଆସୁଥିଲେ
କିଚିରିମିଚିରି କରି,
ଅଳସୁଆ ଭରା ସକାଳୁଆ ନିଦ
ଆପେ ଯାଉଥିଲା ସରି;
ଶୁଭୁଥିଲା ଯେବେ ଗାଈ ଗୁହାଳରୁ
ବାଛୁରୀର ହମ୍ବା ରଡି,
ସକାଳୁ ସକାଳୁ ଗଉଡ ଘରକୁ
ଲୋକେ ଯାଉଥିଲେ ମାଡି;
କିଏ କହୁଥିଲା ମନ୍ଦିରରେ ଦେବି
ମୋତେ କ୍ଷୀର ଦେବୁ ଆଗ,
ଆଉ କିଏ କହେ ଅଉଷଧି ପାଇଁ
ପିଇବି କରି କି ପାଗ;
ଗୁହାଳରୁ ଘର ପଶିବାକୁ ପରା
ଗଉଡ ପାଏନି ତର,
ସଭିଏଁ ଭାବନ୍ତି ଘରକୁ ପଶିଲେ
ପାଣିଚିଆ ହୁଏ କ୍ଷୀର;
କାହା ଘରେ ପୁଣି ପୂଜା ଥାଏ ବୋଲି
ନବାକୁ ଗାଈ ଗୋବର,
ପଞ୍ଚଗବ୍ଯ ପାଇଁ ଗୋମୂତ୍ର ଗୋଜାତ
ତା ସହିତ ଦରକାର;
ଚଷାଭାଇ ତା'ର ଉଠିକି ସହଳ
ଯାଉଥିଲା ଧାନ ଖଳା,
ଅମଳ କରିକି ଶଗଡ଼ରେ ଆଣୁ
ଆଣୁ କାଳେ ହେବ ହେଳା;
ବୁଢାବୁଢୀ ସାଙ୍ଗେ ନିଆଁ ପୋଇଁବାରେ
ବି ଥିଲା ନିଆରା ମଜା,
କଥା କାହାଣୀର ଭରା ଆସରରେ
ଲାଗୁଥିଲା ତାଜା ତାଜା,
ସୁରୂଜ ମୁରୂଜ ବୁଣିବା ଆଗରୁ
ଘର କୁଳ ଭୁଆସୁଣୀ,
ଘରପୋଛା କରି ଝାଡୁମରା ସାରେ
ଛିଞ୍ଚିକି ଗୋବର ପାଣି;
ମୋ ଗାଆଁରେ ଆଉ ନାହିଁ ଆଗଭଳି
ଗୋରୁ ଗାଈ ପଲପଲ
ଗୋରୁ ଜାଗାଟା ତ କେବେଠୁ ଆବୋରି
ନେଇଛି ପରା ଟ୍ରାକ୍ଟର;
କାଉ ବସୁନାଇଁ ମଥାନ ଉପରେ
ରାବୁ ନାଇଁ କାଆ କାଆ,
କିଚିରିମିଚିରି ଶୁଭୁନାଇଁ ଆଉ
ଦିଶୁନି ଘର ଚଟିଆ;
ଗଉଡ଼ ଘରେ ବି ଜମୁ ନାଇଁ ଭିଡ଼
ନବା ପାଇଁ ଗାଈ କ୍ଷୀର,
ମିଳୁଛି ପ୍ଯାକେଟ୍ ସୁଲଭ ମୂଲ୍ଯରେ
କିଣି କରନ୍ତି ବେଭାର;
ଗୋବର ପାଣିକୁ ଛୁଇଁବା ପାଇଁକି
ନାକଟେକେ ଭୁଆସୁଣୀ,
ଚଟାଣଟା ଯେଣୁ କଂକ୍ରିଟ୍ ହେଇଛି
ଜରୁରୀ ପଡୁନି ପୁଣି;
କିଶୋର କିଶୋରୀ ମୋବାଇଲି ଧରି
ମଥା ଅବନତ କରି,
କେତେ ଯେ ସଙ୍ଗୀତ, ଚିତ୍ର, ପଟ୍ଟଚିତ୍ରେ
ମାତିଥାନ୍ତି ମତ୍ତ ପରି;
ଧାନଖଳା ଯାଉ ନାଇଁ ଚାଷୀଭାଇ
କରିବା ପାଇଁ ଅମଳ,
ଲୋଡୁନାଇ ଆଉ କାହା ସହଯୋଗ
ଯୋଚୁନି ସକାଳୁ ହଳ;
ଧାନକ୍ଷେତ ପାଖେ ମେସିନି ଲଗାଇ
ନଡାକୁ ଅଲଗା କରେ,
ତିନିଦିନ ଯୋଉ କାମ ଲାଗୁଥିଲା
ଗୋଟିଏ ଦିନରେ ସାରେ;
ସ୍ମୃତିର ପଟଳେ ସେଦିନ ସକାଳ
ମନରେ ମୋ ଉଙ୍କିମାରେ,
କିବା ସେ ଅତୀତ ଫେରିବ କି ଆଉ
ସମୟର କାଳବଳେ;
