ଶୀତର ଡାଏରୀ
ଶୀତର ଡାଏରୀ
ଡାଏରୀରେ ଲେଖିବାକୁ ସ୍ଥିର କରିଛି
ଶୀତ ଉପରେ ଦି,ଚାରି ଧାଡ଼ିର କବିତା |
ଶିରି ଶିରି ପବନରେ ଦୋହଲୁଛି ଗଛ ପତ୍ର
ହାତ ଗୋଡ଼ ଥରୁଛି, ଦେହ ଖୋଜୁଛି ଉଷୁମ
ଚାରିଆଡ଼ ଜାଡ, ଥରୁଛି ପଞ୍ଜରା ହାଡ଼
କେମିତି ଲେଖିବି କବିତା, ବଗିଚାରେ
ଫୁଟୁ ନାହିଁ ଫୁଲ, ଏବେ ବି କଢ଼ |
ଝରକା ଖୋଲିଲେ କୋହୋଲା ପବନର ମାଡ଼
ଘାସର ଗାଲିଚା ଉପରେ ମୁକ୍ତା ପରି ଦିଶେ
ବୁନ୍ଦା ବୁନ୍ଦା କାକରର ଆସ୍ତରଣ
ରାସ୍ତାଘାଟ ଶୂନ ଶାନ, ମଞ୍ଜଥରା ଶୀତ
ଡରାଉଛି, ବାହାରେ ନବୁଲିବାକୁ ଖୁଲମ ଖୁଲା
ଘରଦ୍ଵାର ସମସ୍ତଙ୍କର ପଡ଼ିଛି ଝରକା କବାଟ
ସ୍ଵେଟର, କୋଟ,ମାଙ୍କିକ୍ୟାପ ଯେତେଯାହା
ପିନ୍ଧିଲେବି, ଏ ହାଡ଼ଭଙ୍ଗା ଶୀତକୁ ନିଅଣ୍ଟ
ଧୋବ ଫରଫର ମାର୍ବଲ ଘର ଚଟାଣ
ବରଫ ପାଲଟିଛି, ପିନ୍ଧିବାକୁ ପଡୁଛି ସ୍ଲିପର |
ଶୀତ ସକାଳ, ପଦାକୁ ବାହାରିବା କଷ୍ଟ
ସେଥିରେ କୁହୁଡ଼ିଭରା ହେମାଳ ପବନ
ଟାଙ୍କୁରାଇଦିଏ ଦେହ, ଠିଆ ହୁଏ ଲୋମମୂଳ
ଖରା ପଡ଼ିଥିଲେ ମଧ୍ୟ ଲୋଡ଼ାହୁଏ ନିଆଁ ଜଳା
ସେ କିନ୍ତୁ ତାଗିଦ କରନ୍ତି ଆଣିବାକୁ ହିଟର
ଥଣ୍ଡାପାଣି ଆଉ ନୁହେଁ, ଦରକାର ଏବେ ଗିଜର
ତାଙ୍କ ଓଠ ଫାଟି ଝରୁଛି ବୁନ୍ଦା ବୁନ୍ଦା ରକ୍ତ
ପାଦ ଫାଟି ଖୋଜୁଛି ଗ୍ଲିସେରିନ ଲେପ
ଦରକାର କପେ ଚା', ଉଷୁମ ଲାଗନ୍ତା ଦେହ |
ଶୀତଦିନେ କେମିତି ଗାଆନ୍ତି ଗୀତ
କେମିତି ନାଚନ୍ତି, ଅଣ୍ଟା ତ ଭାରି ଦରଜ
ସଞ୍ଜହେଲେ ଦାନ୍ତ ଆପେ ଆପେ ହୁଅନ୍ତି ମାଡ଼
ମୁଣ୍ଡ ବିନ୍ଧେ, ଗଳା ବସେ, ଲହରେ କାଶ
ବାରିପଟ ଗଛ ବୁଦାମୂଳେ ଶୁଭେ ଖସ ଖସ
ରାତି ଭାରି, ରାତି ରାତି ଲାଗେ ଆଠଟା ବାଜିଲେ
ଜହ୍ନ ଆଲୁଅରେ ବି ଆଖିପତା ମାଡ଼ିବସେ ରାତି ନଅଟାରେ
ବିଛଣା ଉଷୁମ ଲାଗେ କମ୍ବଳ ଘୋରିହେଲେ
ଖୋଲାଥାଏ ଅଳ୍ପଟିକେ, ଵାୟୁଟିକେ ଯିବାପାଇଁ ଫାଙ୍କେ|
ଶୀତରେ ଥରୁଛି ପୃଥିବୀ, ପାଣି ପାଲଟୁଛି ବରଫ
ଶୀତରେ ହସୁଛି କ୍ଷେତ ବାଡ଼ି, ଫୁଲରେ ସୋରିଷ କିଆରୀ
ଦେହ ସିନା ଥରୁଛି, ଶୀତ ମୋତେ ନେଇଛି ଆବୋରି
ଶବ୍ଦ ସବୁ ଉଡ଼ା ପକ୍ଷୀ ସହଜରେ ଧାରା ଦିଅନ୍ତିନି
ଆଜି ବୋଧେ ଶୀତ କମ, ଶବ୍ଦଙ୍କ ଉଡ଼ାଣରେ
ସେଥିପାଇଁ ଠେଲା ପେଲା କାଗଜରେ ଛାପି ରହିବାକୁ,
ମୋ ଆଖିରେ ଶୀତର ପଟଳ ସହ ଶବ୍ଦଙ୍କ ହୁଙ୍କାର
ଲେଖୁଲେଖୁ ତେଣୁ ଲେଖିଦେଲି ଶୀତ ଉପରେ କବିତା ଏକ |