STORYMIRROR

Pratima Das

Others

3  

Pratima Das

Others

ଶୀତଦିନିଆ ଖରା

ଶୀତଦିନିଆ ଖରା

1 min
445



ପ୍ରତିମା ଦାସ।।


ଗାଁର ଶୀତଦିନିଆ ଆଠଟା ବେଳ ଖରା,

ଭାରୀଖୋଜା ସମସ୍ତଙ୍କର,

ପୁଷମାସିଆ ମାସିକିଆ କୁକୁରଛୁଆ ପରି,

ବର୍ଛା ପରି ତୀର୍ଯ୍ୟକ ହୋଇ

ନଡିଆ ଗଛ ଫାଙ୍କରେ ଗଳିଆସେ,

ହାତଗୋଡ଼ ସେକିବାକୁ ବସିଯାନ୍ତି ସବେ ବାରଣ୍ଡାରେ,

ହାଲୁକା ଉଷ୍ମତା ପାଇବାରେ।।


ଗାଁର ଶୀତଦିନିଆ ଦଶଟାବେଳ ଖରା,

ଉଷ୍ମରୁ ଉଷ୍ମତ୍ତର ହୋଇଥାଏ ସିନା,

ଗାଧୁଆ ତୁଠରୁ ସାଂଗରେ ଆସିଥିବା

ଶୀତକୁ କାଟିପାରେନି ଜମା।

ଗୃହିଣୀଟି ତରତର ଥରଥର ହୋଇ ଜାଳକୁଟା ପାଇଁ,

ବାଡି ପଟକୁ ଯାଏସିନା ,ଫେରିବା କରେ ମଠ ମଠ

ଭାବ ଲଗାଇ ଖରା ସଂଗେ ହେଉଥାଏ ଲଟପଟ।।


ଗାଁର ଶୀତଦିନିଆ ବାରଟାଗୋଟେ ବେଳ ଖରା,

ସାହସ ନଥାଏ ତାକୁ ସିଧା ଚାହିଁବାକୁ,

ଉଷ୍ମତ୍ତରରୁ ତାତିରେ ପରିଣତ ଖରା ଭାରୀ ସୁଆଦ,

ନଗେଇଖିଆ ଭଜାଭଜି, ଚିଙ୍ଗୁଡି ଶୁଖୁଆ ଛେଚାପରି

ପିଠି ଦେଖାଇ ମାଇପେ ବସିଯାନ୍ତି

ଖଳାରେ ପଖାଳ କଂସା ଧରି।।


ଗାଁର ଶୀତଦିନିଆ ଚାରିଟାବେଳ ଖରା ,

ଭାରୀ ତରକା ପରଜାପତି ପରି

ତାକୁ ଦେଖିବାକୁ ସମୟ ନ ଥାଏ କାହାରି,

ଗାଈଗୋରୁ ରଡି, ତୋରାଣି ପାଣି, ଆକାଶ ଦୀପ, ସଂଜବତୀ

ସୂର୍ଯାସ୍ତ ସହିତ ଦିନତମାମ କାମ ସମାପ୍ତ,

କାରଣ * ଗାଁର* ((ଆଲୋକ ତାର କି ମନୋହର

ଅନ୍ଧକାର ତାଠାରୁ ଭଲ))

ଭାଂଗପଡି ରହିଥିବା ଶେଯମାଠ

ଭିଡା ଭିଡ଼ି ହୋଇ ନଦା ହେଲେଣି,

ଶରୀରକୁ କରିବାକୁ ଆବୃତ।।


ସହରର ଶୀତଦିନିଆ ଦଶଟା ,ବାରଟା ଅବା

ଚାରିଟା ବେଳ ଖରା

ଏଠି ସେ ଅଲୋଡା

ଅନାଥ ଜରିଗୋଟା ପିଲାପରି ଯାଏ ଆସେ

ନିୟମିତ ଭାବରେ ସମସ୍ତଙ୍କ ନଜର ବାହାରେ,

ସମସ୍ତେ ତ ଏଠି ଚାଲିଥାନ୍ତି ସମୟ ସହିତ ଏକ ତାଳରେ

ଗରମ ପୋଷାକ ପିନ୍ଧି ନିଜ ନିଜ ଦୁଃଖ ଧନ୍ଦାରେ।।

(କାରଣ ସହରର ଆଠଟା ବେଳ ଖରା କାହାକୁ ନ ଦିଏ ଧରା)


Rate this content
Log in