ଶୀତ
ଶୀତ
ମୋର ଆସିବା ଆଉ ଯିବା
ଏକ ପ୍ରକାର ନିଶ୍ଚିତ ପ୍ରକୃତିର ନିର୍ଦେଶରେ
ମୁଁ' ଆସିଲେ ଥରିଯାଏ ଏଇ ପୃଥିବୀ
କୁହୁଡ଼ିର ଚାଦର ଘୋଡ଼େଇ ହୋଇ,
ବୁଢ଼ୀ ମାଉସୀ ପରି ଥରି ଥରି
ନିଜ କାମ କରିଚାଲେ ||
ମୁଁ' ଆସେ ଧନୀର ବହୁତଳ ପ୍ରାସାଦକୁ
ସେ' ସେତେବେଳେ ସ୍ୱାଗତ କରେ
ଦାମୀ ଜ୍ୟାକେଟ ଆଉ ଚାଦରକୁ ଘୋଡ଼େଇ ହୋଇ,
ଦାମୀ କପରେ ଚା, ଆଉ କଫି ପିଇ ||
ଗରିବ କୁଡ଼ିଆ ଆଡ଼କୁ ବି ମାଡିଯାଏ
ସେଠି ଯାଇ ତାଚ୍ଛଲ୍ୟ ଭରା ହସ ବି ହସିପାରେ
ହେଂସ, ଚିରା କନ୍ଥା ତଳେ ଶୋଇ,
ଘର ପାଖରେ ନିଆଁରେ ଉଷୁମ ହୋଇ
ସେମାନେ ବି ମୋର ସ୍ୱାଗତ କରନ୍ତି ||
ବେଳେବେଳେ ମାଡିଯାଏ ଫୁଟପାଥ ଆଡେ
ସେଠି ମୋର ରାଜୁତି ଟିକେ ଅଧିକ
ଯହିଁ ଖାଇବା, ପିଇବାର ଠିକଣା ନାହିଁ,
ସେଠି କିଏ ବା ମତେ ରୋକିପାରିବ !
ଯଦିଓ ଏବେ ଠିକ ସମୟରେ ଆସିପାରୁନି
ତଥାପି ସମୟ ପାଇଲେ ଟିକେ ଆସି ବୁଲିଯାଏ
ଏଇ ପୃଥିବୀ ଆଡେ,
ଆଉ ଦେଖିଯାଏ ଲୋକମାନଙ୍କ ସ୍ୱାଗତ......
*ସତ୍ୟଜିତ ସ୍ୱାଇଁ*
*ଅଡଶପୁର, କଟକ*
