ଶୀତ
ଶୀତ
ତୁମେ ଆସିଲେ ଲାଗଇ ଥଣ୍ଡା
ଶୀତେଇ ଯାଏ ଦେହ
ସନ୍ଧ୍ୟା ସମୟେ, ସକାଳ କାଳେ
ବହେ ଶୀତଳ ବହ ।
ଅତୀତ ସ୍ମୃତି ମନେ ପଡ଼ଇ
ଝୁରଇ ତାକୁ ମନ
ଶୀତୁଆ ରାତି ଉଷୁମ ଛାତି
ଅଭୁଲା ପିଲା ଦିନ ।
ସକାଳୁ ଉଠି ପ୍ରଭାତ ଚାଲି
ସାଙ୍ଗ ସାଥୀଙ୍କ ମେଳେ
ଭାରି ଆନନ୍ଦ ଶରୀର ସୁସ୍ଥ
ଦେହ ଥରଇ ଜଳେ ।
ଗାଆଁ ଦାଣ୍ଡରେ ନିଆଁ ପସରା
ତା'ସାଥେ ଗପ ପେଡି
ହଜିଲା କଥା ଲାଗଇ ମିଠା
ହୃଦୟେ ଦିଏ ଯୋଡି ।
ଆକାଶ ବକ୍ଷେ କୁହୁଡି ଗଢ଼େ
ବିପଦପୂର୍ଣ୍ଣ ଦ୍ୱାର
କେତେ ଘଟଣା ଘଟଇ ସେବେ
ଆପଣା ହୁଏ ପର ।
ବୃକ୍ଷରୁ ଝରେ ଶିଶିର ଟୋପା
ଲାଗଇ ଯେହ୍ନେ ନୀର
କ୍ଷେତର ଧାନ ଅମଳ ହୋଇ
ଚାଷୀର ହସେ ଘର ।
ଶିଶୁରୁ ବୃଦ୍ଧା ସଭିଙ୍କ ଅଙ୍ଗେ
ଝଲସେ ଶୀତ ବସ୍ତ୍ର
ହଳଦୀ ମାଖୀ ଗାଧୁଆ ତୁଠେ
ହଲଇ ଯେହ୍ନେ ପତ୍ର ।
ଶୀତୁଆ ରାତି ପ୍ରେମ ସଙ୍ଗୀତ
ଗାଏ ଅନ୍ଧାରୀ ରାତି
ପ୍ରେମ ଚିଟାଉ ଲେଖେ ଭ୍ରମର
ଭାଳି ପ୍ରିୟର ସ୍ମୃତି ।।
