STORYMIRROR

Jashobant Pattanayak

Others

4  

Jashobant Pattanayak

Others

ଶୀତ

ଶୀତ

1 min
240


ହଁ...ମୁଁ ଆସିଛି...

ଫି' ବର୍ଷ ପରି -

ଏଥର ବି ...

ଧିରେ ଧିରେ ଛୁଇଁଛି ମାଟିକୁ -

ଏକ ଅନନ୍ୟ ଆବେଗରେ..ଆବିଳତାରେ ।

ମାଟିଟା ବି କୋଳେଇଛି ମୋତେ

ଭାରି ସରାଗରେ...ଅତି ଆଦରରେ ।।

ପୁଣି ଥରେ... ସାଇତି ରଖିଛି

ତା'ର ପ୍ରତିଟି ଧୂଳିକଣାରେ

କଅଁଳ ଦୁବ,ଘାସ ପତରରେ

ପାହାନ୍ତାର କୁହୁଡି ଭିତରେ

ଆଉ ଧୋବ ଫରଫର ଜହ୍ନ ଜୋଛନାରେ ।।


ହଁ...ମୁଁ ଜଳିଛି...

ଫି' ବର୍ଷ ପରି -

ଏଥର ବି ..

ଧିରେ ଧିରେ ସାଜିଛି ପାଉଁଶ -

କାଠି,କୁଟା,ପାଳପତରରେ,ଶୁଖିଲା କାଠରେ ।

ଗରୀବଟା ଜଡେଇଛି ମୋତେ -

ତା'ର ଚିରା ଚାଦରରେ..ଛିଣ୍ଡା କନ୍ଥାପରେ ।।

ପୁଣିଥରେ ସ୍ୱାଗତ କରିଛି...

ତା' ନୂଆଣିଆଁ ଚାଳଘରେ

ମଳିମିଶା ମଶିଣାର ଫୁଙ୍ଗୁଳା ଦେହରେ

ଅଚିନ୍ତାର ଘୁଙ୍ଗୁଡ଼ି ଭିତରେ

ଆଉ କଳା ମଚମଚ ସଡ଼କଧାରରେ ।।


ହଁ...ମୁଁ ଭିଜିଛି..

ଫି' ବର୍ଷପରି..

ଏଥର ବି -

ଧିରେ ଧିରେ ଚାଖିଛି ମଦିରାକୁ -

ଲୁଚିଛପି-ଖୁଲମଖୁଲ୍ଲା-ଖୋଲା ଛାତ ତଳେ ।

ଧନୀକ ବି ଆବୋରିଛି ମୋତେ

କ୍ଲବ୍,ପାର୍ଟି, ହୋଟେଲ, ରେସ୍ତୋରାଁରେ ।।

ପୁଣି ଥରେ ରଂଗଟେ ଭରିଛି -

କଳାଧଳା ଧୂଆଁ ବଳୟରେ

ଜୁଆଡିର ଉଦ୍ଦାମ ହସରେ

ବାରାଙ୍ଗନା ଉଷୁମ ଶେଯରେ

ଆଉ ଲାଲ୍ ତକ୍ ତକ୍ ଓଠଲଗା ଟଙ୍କାର ବିଡ଼ାରେ ।।


       ########


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍