ଶୀତ
ଶୀତ
ଶୀତ ଆସେ💨
ଦୀର୍ଘ ଆଠମାସର ବିରହ ପରେ
ଘୋଡ଼ାଇ ହୋଇ ମଖମଲୀ ଚାଦର
ଚିର ସବୁଜିମା ଘାସ ଗାଲିଚାରେ
ଖେଳିଯାଏ ସ୍ନିଗ୍ଧ ଶୀତଳ ମୁରୁଜ
ସକାଳ ସୁରୁଜ ବୁଣେ ସୁନେଲି କିରଣ
ଝିଲମିଲ କରେ ମତି ମାଣିକ୍ୟର ସମ
ପତର କୋଣରେ କାକର ବିନ୍ଦୁ ମାନ
ସତେକି ଧରାରେ ଝରିଛି ତାରାଗଣ
ତାକୁ ଗୋଟାଇବାକୁ ଭାରି ଇଚ୍ଛାହୁଏ
ସେସବୁକୁୁ କଣ ସହଜେ ଧରି ହୁଏ
ଭିଜା ଅଶ୍ରୁରେ ଦେହମନ ଭିଜିଯାଏ
କିନ୍ତୁ ହାତର ଅଞୁଳି ଖାଲି ରହିଯାଏ
ଶୀତୁଆ ଛୁଆଁ ପାଇ ହସିଉଠେ କୁସୁମ
ଭରିଯାଏ ବନେ ନାଲି ନେଳି ସମ୍ଭାର
ଷମ୍ଭାଳୁଆରୁ ନୂଆ ନୂଆ ଡେଣା ପାଇ
ଘୁରିବୁଲେ ଆନନ୍ଦେ ଉନ୍ମାଦେ ପ୍ରଜାପତି
ନିରୀହ ପ୍ରଜାପତି କେମିତି ବା ବୁଝିବ
ଅଳପ ଦିନର ତାର ନୂତନ ଜୀବନ
ମୁକ୍ତ ଆକାଶର ତଳେ ଚାହିଁ ବସିଛି
କ୍ଷିନ୍ ଭିନ୍ କରିବାକୁ କ୍ରୁର ରାକ୍ଷସ
ଶୀତୁଆ ରାତି ଆସେ ଧୀରେ ଧୀରେ
ଗରିବ କୁଡିଆକୁ ଅତି ସନ୍ତର୍ପଣରେ
ଟୁଇର କଣା ମଧ୍ୟଦେଇ ଝରିପଡେ
କାକର ବିନ୍ଦୁ ସାଙ୍ଗେ ଦୁଃଖ ଯେତେ
ଆହୁରି ଦଲକାଏ ଶୀତ ପଶିଆସେ
କୋଣାଫଟା ଭିକାରୀ କମ୍ବଳରେ
ଯିଏକି ଟାଣି ଗୋଟାରି ଶୋଇଥାଏ
ରାସ୍ତା କଡରେ ଖୋଲା ବିଶ୍ରାମ ଗୃହରେ
ହଁ ଶୀତ ଆସେ ପୁଳାଏ ଖୁସି ନେଇ
କୃଷକର ଧାନକ୍ଷେତ ଖଳା ବାଡିରେ
ହସି ଉଠେ ଅଗଣା ଲକ୍ଷ୍ମୀ ଆଗମନରେ
ଓଡିଆଣୀର ଧାନଶିଶା ,ଝୋଟିଚିତାରେ
ସସ୍ମିତା ରାଉତ
ସୋର, ବାଲେଶ୍ବର
