ଶୀତ ସକାଳ
ଶୀତ ସକାଳ
ଶୀତ ସକାଳର ଅପରୂପ ଶୋଭା
ସଭିଙ୍କ ମନକୁ କିଣେ
ଘନ କୁହୁଡ଼ିର ଆସ୍ତରଣ ଚିରି
ସୂରୁଜ ଆଲୋକ ବୁଣେ ।
ଗଙ୍ଗଶିଉଳିର ମଧୁର ମହକ
ଚତୁର୍ଦ୍ଦିଗ ମହକାଇ
କ୍ଷୀଣ ଜୀବକାଳେ ଜୀବନ ମହତ୍ତ୍ୱ
ମହାଶିକ୍ଷା ବାଣ୍ଟିଥାଇ ।
ଶୀତର ପ୍ରକୋପ ଛୁଇଁପାରେ ନାହିଁ
କୃଷକର ଶରୀରକୁ
ଫସଲ ଅମଳ କରିବା ନିମନ୍ତେ
ଯାଉଥାଏ ସେ କ୍ଷେତକୁ ।
ନରନାରୀଙ୍କର ପ୍ରଭାତ ଭ୍ରମଣ
ଦୃଶ୍ୟ ମନେ ଖୁସି ଭରେ
ଶାନ୍ତ ସକାଳର ନୀରବତା ଭାଙ୍ଗି
କୋଳାହଳ ସୃଷ୍ଟି କରେ ।
ଧନୀ କି ଗରିବ ଜନତା ସକଳ
ଶୀତକୁ ସହିବା ପାଇଁ
ନିଜ ନିଜ କର୍ମେ ଲିପ୍ତ ହୋଇଥାନ୍ତି
ଶୀତବସ୍ତ୍ର ଦେହେ ନାଇ ।
ଶୀତ ସକାଳର ଗ୍ରାମ ପରିବେଶ
ଲାଗେ ଭାରି ମନୋରମ
ରୋକି ପାରେନାହିଁ ଦେହଥରା ଜାଡ
ଗ୍ରାମବାସୀଙ୍କର କର୍ମ ।
ସ୍ଥାନେ ସ୍ଥାନେ ପୁଣି ନିଆଁପୁଆଁ ଦୃଶ୍ୟ
ଗ୍ରାମବାସୀଙ୍କର ମେଳି
ଶୀତରେ ଉଷ୍ମତା ମଜା ନେଉଥାନ୍ତି
କାଠିକୁଟା ପତ୍ର ଜାଳି ।
କଅଁଳିଆ ରବି କିରଣ ଆଶାରେ
ବୃଦ୍ଧବୃଦ୍ଧା ଥାନ୍ତି ବସି
ଶୀତକଷ୍ଟ ଭୁଲି ଛୋଟ ଶିଶୁଗଣ
ଖେଳୁଥାନ୍ତି ମିଳିମିଶି ।
ୠତୁ ପରେ ଋତୁ ଓହ୍ଲାଇ ଆସନ୍ତି
ଧରିତ୍ରୀ ମାଆର କୋଳକୁ
ଭିନ୍ନ ଭିନ୍ନ ସ୍ମୃତି ଅନୁଭବ ବାଣ୍ଟି
ଫେରନ୍ତି ଅଜଣା ସ୍ଥାନକୁ ।
ଶୀତ ନ ଆସିଲେ ଗ୍ରୀଷ୍ମର ଉଷ୍ମତା
କିଏ ବା କାହିଁକି ଖୋଜିବ
ଶୀତର ପରଶେ ସୁନେଲି କ୍ଷେତରେ
ଶସ୍ଯ କି ଲହରୀ ଖେଳିବ ?
