ଶୀତ ସକାଳ
ଶୀତ ସକାଳ
ଶୀତ ଆସେ ଦୂର ପାହାଡ ତଳୁ
ଆମ ଗାଁ ମନ୍ଦିର ବେଢ଼ାର ଘଣ୍ଟ ଶବ୍ଦ ଶୁଣି
ନଈତୁଠେ ଜାଡରେ ଥୁରୁଥୁରୁ
ବୁଡମାରୁଥିବା ହବିଷିଆଳୀଙ୍କ ଭିଡ ଭିତରେ
ଗୁହାଳୁ ଗୋଠକୁ ବନ୍ଧାହେଉଥିବା
ଗାଈ ବଳଦମାନଙ୍କର ହମ୍ଵା ରଡିରେ
ରୁଣୁଝୁଣୁ ଚୁଡି ପାଉଁଜିର ଶବ୍ଦେ
ଫେରୁଥିବା ନୂଆବୋହୁର ଲାଜୁଆ ଚାହାଣୀରେ
ଦାଆ ଧରି ଗୀତ ତାଳେ ସନିଆଁ ଭାଇ
କାକରେକାଟେ ପାଚିଲା ଧାନ ବିଲେ ।
ଶୀତ ଛୁଇଁ ପାରେନି ଜମା
ମୋ ବୁଢୀମାର ପାକୁଆ ପାଟି
ଆଉ ମଥାକୁଗେଲ କରି ଲଗାଇଥିବା ତିଳକ ଟିପାକୁ ।
ବୁଢୀମା କୁହେ ଏ କି ଶୀତ
ନାହିଁ ଆଉ ଆଗପରି ଶୀତର ମହକ
ପାରିବନି ସେ ମୋ ହାଡଭାଙ୍ଗି ।
ସାରା ଗାଁଟା ଘୁମାଉଥାଏ
ଘୋଡି ହୋଇ କୁହୁଡି କମ୍ଵଳ
ଟପ୍ ଟପ୍ ଲୁହ ଝରାଇ ତରୁଲତା ଘାସ
ଖୋଜିବୁଲନ୍ତି ଶୀତକୁ
ଶୀତ ଭାରି ତରକା ପ୍ରଜାପତି
ଧରା ନ ଦିଏ ସେ କାହା ହାତେ
ଉଡୁଥାଏ ଫୁଲରୁ ଫୁଲ
ଚୁପଚାପ କମ୍ଵଳ କାଢି କେତେବେଳେ
ଫୁର୍ ହୋଇଯାଏ ସୂରଜ ଉଇଁଲେ ।
