STORYMIRROR

RUKEYA JABEEN

Others

3  

RUKEYA JABEEN

Others

ଶୀତ ରାତି

ଶୀତ ରାତି

1 min
226

ଶୀତଳ ମାଟିର ମିଠା ମିଠା ସୁଗନ୍ଧକୁ 

ଧୀରେ ଧୀରେ ଟାଣି ନେଇ 

ହାଲକା ଧୁଆଁଟେ ତ୍ୟାଗ କରୁଥିବା 'ଅମିନା'  

ଚଟାଣରେ ଛିଣ୍ଡା ଅଖା ଉପରେ ସପ ଟିଏ ପାରି 

କାଖ ତଳେ ହାତ ପାପୁଲି ଦୁଇଟିକୁ ଜାକି ଧରି 

ଆଖି  ନାକ କାନ ଖୋଲା ରଖି  

ସନ୍ନିପାତିଆ ଶୀତ ରାତିରେ 

ଲୋମ ଟାଙ୍କୁରା ହିମ ବିନ୍ଦୁ ଗୁଡିକୁ 

ଟାଣି ଆଣୁଥିବା କନ୍ଥାରେ ନିଜକୁ ଘୋଡ଼ାଇ ରଖି  

ଉଷ୍ମତାର କ୍ଷୀଣ ସ୍ପର୍ଶଟେ ପାଇବାକୁ  

ଅସଫଳ ପ୍ରୟାସ କରିଚାଲିଥିଲା ।


ରାତି ବଢ଼ି ବଢ଼ି ଚାଲିଥିଲା 

ତା' ସହ ବଢ଼ି ଚାଲିଥିଲା  

ମାଟିର ଗାଢ଼ ଓଦାଳିଆ ଆଲିଙ୍ଗନ 

ଯାହା ସପର ରନ୍ଧ୍ର ଛେଦି ଭେଦି ଯାଉଥିଲା  

ଅମିନାର କମ୍ପନରତ ଶରୀରର  

କ୍ଷୁଦ୍ର ଲୋମଛିଦ୍ର ଗୁଡିକରେ ।


ଅର୍ଦ୍ଧ ଅନାବୃତ ଦୁଆର ମୁହଁରେ ଝୁଲୁଥିବା ପାଲ ଦେଇ 

ଉଙ୍କି ମାରୁଥିବା ଜହ୍ନଟି ଇଙ୍ଗିତ କରୁଥିଲା 

ସୁଦୂର କାକର ଲଦା ଗଗନରୁ 

ଘନ କୁହୁଡି ଭିତରୁ ବେଶ୍ ବାରିହେଉଥିଲା 

ସେ ରହସ୍ୟମୟୀ ଆଲୁଅର ଚାଲି ଚଳଣି 

ସତେ ଯେପରି ତା'ର ଶୀତଳତା  

ଧସେଇ ପଶି ଆସୁଥିଲା ଅମିନାର କନ୍ଥା ଭିତରକୁ ।


ଅମିନା  ଗୋଡ଼ ଦୁଇଟାକୁ ଜାକି ଜୁକି  

ଆଣ୍ଠୁ ଯୋଡିକୁ ତୋଳି ଆଣି  

କୋଳରେ ଲଗେଇ ମୁହଁ ଗୁଞ୍ଜି ଦେଲା 

ସେଇ ଗୋଲ୍ ହାଡ଼ ଗୁଡିକର ଫାଙ୍କ ଭିତରେ। 


ଉଷୁମ ଟିକକ ପାଇବାର ବୃଥା ପ୍ରୟାସ ତା'ର 

ଧୀରେ ଧୀରେ ସ୍ଥାଣୁ ପାଲଟିଗଲା 

ନାକର ବାମ୍ଫ ଉଡ଼ି ଚାଲିଗଲା  

ତୁଷାର ଭିତର ଦେଇ ସେଇ ଚନ୍ଦ୍ରମା ଆଡେ 

ପାଦ ପାପୁଲି ପାଣି ସରି ତରଳି ଗଲା  

ଶୀତରାତିର ତୀକ୍ଷଣ ଶୀତଳ ଯୁଦ୍ଧରେ ହାରିଗଲା 

ନିରୀହ ଅସହାୟ ଅସ୍ଥି ଚର୍ମର ସମାହାରଟିଏ 

ରଚିଯିବାକୁ ଏକ ତିକ୍ତ ଇତିହାସ ଆଗାମୀ ଦିନ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍