ଶୀତ ନିଷ୍ଠୁର ହୁଅନି ତୁମେ
ଶୀତ ନିଷ୍ଠୁର ହୁଅନି ତୁମେ
ଆସିଅଛି ଶୀତ ଏ ଧରାବକ୍ଷରେ
ଧରି ଏକ ନୂଆ ବେଶ ।
ହେମନ୍ତ ନେଇଛି ଶୁଭ ବିଦାୟ
ଶାନ୍ତ କରି ପରିବେଶ।
ସଜାଇ ଦେଇଛି ଏଧରା ବକ୍ଷକୁ
ଫୁଲଫଳ ଖଞ୍ଜି ଦେଇ ।
ବିଳବଣ ହସେ ପାଚିଳା ଶସ୍ଯ ରେ
ସୁଖେ ସିଏ ଗୀତ ଗାଇ ।
ହେଲେ ଶୀତ ଆସି ଥରାଇ ଦେଉଛି
ଏହି ମେଦିନୀର ପୁର।
ଗରିବ ବିଚରା ଦିନ କାଟେ ଦୁଃଖେ
ହୋଇଯାଏ ଥରହର ।
ପୁଙ୍ଗୁଳା ବୁଢ଼ାଟା କେତେ କଷ୍ଟ ପାଏ
ଶୀତ କୁ ପାରେନି ସହି।
ବୁଢୀ ମାଉସୀ ବି କଳବଳ ହୁଏ
କାହାକୁ ପାରେନି କହି ।
ଗରିବର କଥା ପଚାରୁଛି କିଏ
ତା'ପାଇଁ ଶୀତ ଯେ କାଳ।
ନଫଳୁ ପଛେ ଫୁଲ ଫଳ ଗଛେ
ଚାଳିଯାଉ ଯାଉ ଏହି ବେଳ।
ସୈନିକ ଭାଇର ଦୁଃଖକେ ଶୁଣିବ
ଦୁଃଖ କଥା ଅସମ୍ଭାଳ ।
ବରଫ କନ୍ଥାରେ ଶେଯ ଯେ ତାହାର
ବରଫ ଯେ ତା' କମ୍ବଳ।
ଧନୀ ସିନା ହସେ ଅଛି ବୋଲି ଧନ
କିଣିବାକୁ ଶୀତ ବସ୍ତ୍ର ।
ଗରିବ ବିଚରା ଶୀତ ଯାଉ ବୋଲି
ଈଶ୍ବରଙ୍କୁ ଲେଖେ ପତ୍ର ।
କୀଟ ତରୁ ଲତା ସମସ୍ତେ ଶୀତରେ
ହୋଇଥାନ୍ତି ମ୍ରିୟମାଣ ।
ସୂର୍ଯ୍ୟ ଦେବତାଙ୍କୁ ନିତି ସୁମରନ୍ତି
ଦିଅ ପ୍ରଭୁ ଦରଶନ ।
ହେ ଶୀତ ତୁମେ ହୁଅ ନି ନିଷ୍ଠୁର
ଚାଲିଯାଅ ତୁମେ ଶୀଘ୍ର ।
ବସନ୍ତ କୁ ତୁମେ ପଠାଇ ଦେଇଣ
ଚାଲିଯାଅ ବହୁଦୂର ।
ଆସିବନି ଜମା ଏମିତି ବେଶରେ
ଆସନ୍ତା ବରଷେ ତୁମେ।
ଆସିଲେ ଆସିବ ନୂଆ ବେଶ ଧରି
ଅପେକ୍ଷା କରିଛୁ ଆମେ ।
ବରଷକୁ ଛଅ ଋତୁ ଯେ ନିଶ୍ଚିତ
ପ୍ରକୃତି ର ଏ ନିୟମ।
ନିଷ୍ଠୁର ବେଶରେ ଆସିବନି କିନ୍ତୁ
ତୁମକୁ କରୁ ପ୍ରଣାମ ।
*******************
ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।
