ଶୀତ ଆସେ
ଶୀତ ଆସେ
1 min
424
ଶୀତ ଆସେ
ସାରୁ ପତ୍ରରେ ଢଳ ଢଳ
କାକର ବିନ୍ଦୁରେ
ସକାଳ କୁହୁଡିର
ଶୁଭ୍ର ସମ୍ମୋହନ ଭିତରେ.....
ଶୀତ ଆସେ
ଘୋଡିଘାଡି ଜାକିଜୁକି
କମ୍ବଳର ଆତ୍ମିୟତା ଛୁଆଁରେ
ନିଦ ଭାଙ୍ଗୁ ନଥିବା
ଅଳସ ପଣରେ
ଅବା ଓଠକୁ ସ୍ପର୍ଶ କରୁଥିବା
ଚା ପିଆଲାରେ.....
ଶୀତ ଆସେ
ଆମ ଗାଁ ବିଲ ପଟ
ସୁନା ଧାନ କ୍ଷେତରେ
ଗାଁ ପୋଖରୀର
କାଚକେନ୍ଦୁ ଜଳରେ
ଇତଃସ୍ତତଃ ଧାଉଁଥିବା
କୁନିକୁନି ମାଛଙ୍କ ମେଳରେ....
ଶୀତ ଆସେ
କାର୍ତ୍ତିକର ଘଣ୍ଟ ଆଳତୀରେ
ସବୁ ଅଳସର ପୂର୍ଣ୍ଣଛେଦ ଟାଣି
କୃଷକ ଭାଇର ଉଛୁଳା ହସରେ....
ଶୀତ ଆସେ
ଅପରୂପ ମଗୁଶୁର
ଝୋଟି ଓ ଚିତାରେ
ସୁନେଲି ଅପରାହ୍ନ ଛୁଇଁ
ସନ୍ଧ୍ୟା ପଣତରେ
ଶୀତ ପୁଣି
ନିଦେଇ ଯାଏ
ଗଭୀର ନିଶିଥର
ଘୁମନ୍ତ ନିଦ୍ରାରେ ।
