STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ସହି ଯାଉଥିବା ନାରୀ ଟିଏ

ସହି ଯାଉଥିବା ନାରୀ ଟିଏ

1 min
400



ସେ...ଇ...

ମେଘବାଦଲ ର ଛାତି ଚିରିଦେଇ

ସାଏଁ କିନା ଗଳି ଯାଉଥିବା ଧୂମକେତୁ ସମ

କ୍ଷଣସ୍ଥାୟୀ ଜଳବିନ୍ଦୁ ଟିଏ ମୁଁ

କେତେବେଳେ ଶିଳପୁଆ ସାଜି ପେଶିଯାଅ ତୁମେ ମୋତେ

ଆଉକେବେ

ଦୀପ ହୋଇ ଆପେଆପେ

ଦିକ୍ ଦିକ୍ ଜଳୁଥାଏ ମୁଁ

ତୁମ ଭୋକିଲା ଚଉରା ରେ

ଲତପତ ସଞ୍ଜବତୀ ହୁଏ

ତମ ନରମ କାମନା ନିଆଁ ଛୁଉଁ ଛୁଉଁ

ହଁ ...

ଚୁପଚାପ୍ ସହିଯାଉଥିବା

ନିରୀହ ନାରୀ ଟିଏ ମୁଁ


କାଠି -କୁଟା- ତେଲ- ଲୁଣ -

ବଂଶ -ବୁନିଆଦି-ନୀତି-ନୀୟମ -ବନ୍ଧନ-

ପୁଅ- ଝିଅ- ସ୍ୱାମୀ -ଶାଶୁ -ଶ୍ୱଶୁର- ନଣନ୍ଦ- ଦିଅର

ସ...ବୁ ...

ତୁମ ଆଙ୍ଗୁଠି ଇସାରା ର ଆଜ୍ଞାକାରୀ

ତୁମେ ମାଟି କୁ ଚନ୍ଦନ କହିଲେ ହଁ

ତୁମେ କଥା କୁ କାହାଣୀ କହିଲେ ହଁ

ତୁମେ ପାଣି କୁ ପବନ କହିଲେ ବି ହଁ

ଏମିତି ବି..

ସ୍ୱପ୍ନ ର ରଙ୍ଗ ତ କେବେଠୁ ବଦଳି ଗଲାଣି

ଏବେ ଖାଲି

ନିଦରେ ସ୍ୱପ୍ନ ଲାଗେ ବୈଶାଖ ର ଖରା ଧୂଧୂ

ହଁ

ଚୁପଚାପ୍ ସହିଯାଉଥିବା

ନିରୀହ ନାରୀ ଟିଏ ମୁଁ...


ଓ..ଅଭିଯୋଗ..?

ଅଭିଯୋଗ ତ ନିଜ ପାଖେ..

ଏଠି ପିମ୍ପୁଡି ପାଖେ ପରିବର୍ତ୍ତନ ଚାହିଁଲେ

ପ୍ରଜାପତି ଡେଣା ଛିଣ୍ଡେ..

ହସିବା ତ ବାହାନା ମାତ୍ର..ତୁମ ହସ ପାଇଁ..

ନିଜ ପାଖେ ନିଜକୁ ଆବୃତ ରଖିବା ପାଇଁ ..

ଅନାବୃତ ହେଲେ

କାକ କି ସହି ପାରିବ

କୋକୀଳ ର ସୁମଧୁର କୁହୁ...?

ହେଃ..

ଅଭିସାରିକାର ଶେଷ ଦୃଷ୍ଟି କହିଲେ

ତୁମେ କଣ ବୁଝିବ..?

ସବୁତ ମୁଁ ..

କେବେ ସୁନା...

କେବେ ଧନ...

କେବେ ଜୀବନ ତ କେବେ ଦହନ

କେବେ କେବେ ପୁଣି ସ୍ପନ୍ଦନ

ତେବେ ତୁମେ କିଏ..?

ତୁମେ କଣ ନିରବଦ୍ରଷ୍ଟା ଇଶ୍ଵର ..?

ନା ମଳୟ ପବନ..?

ଯିଏକି ଖାଲି ବହଳ ଲେପ ଦେଇ ଜାଣେ

ମଧୂରାନ୍ତକ ମୂହୁର୍ତ୍ତ ର ମିଠା ମିଠା ମହୂ ..

ଆଉ ମୁଁ ...

ମହୂ ତଳେ ଦେଖୁଥାଏ ତୁମ ସ୍ୱାର୍ଥ ର ଦାବାଗ୍ନି..

ଯିଏ ଅହରହ ଜାଳୁଥାଏ ନିଆଁ ଦାଉଦାଉ...

ହଁ ..

ଚୁପଚାପ୍ ସହିଯାଉଥିବା

ନିରୀହ ନାରୀ ଟିଏ ମୁଁ..


×-×-×-×-×-×-×-×-×


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍