ଶେଷ ପିଢ଼ି ଲୋକ
ଶେଷ ପିଢ଼ି ଲୋକ
ଆମେ ବୋଧହୁଏ ଶେଷ ପୀଢ଼ିଲୋକ
ଏଇ ଧାରାଣା ହୋଇଛି
ନଡା ଛପରର ମାଟି ଘରେ ବଢି
ବାଳୁତ ସମୟ ବିତିଛି || 1||
ଅଜା ଆଈ ଜେଜେ ବାପା ମାଆଠାରୁ
ଭୁତ ପ୍ରେତ ଗପ ଶୁଣିଛୁ
ପରୀ ରାଇଜର ରାଜକୁମାରୀ ତ
ବୁଢ଼ୀ ଅସୁରୁଣୀ ରହିଛି || 2||
ଗିନା ଥାଳିଆରେ ତାଙ୍କ ଠାରୁ ମାଗି
ଟିକେ ନାଲି ଚା ପିଇଛୁ
ଗାଆଁ ଦାଣ୍ଡରେ ବାହିକି ମାଙ୍କଡ
କବାଡି ଓ ନଟୁ ଖେଲିଛୁ ||3||
ଅବା ବୋହୁଚୋରି ଅବା କିତିକିତି
ଖେଳେ ସମୟ ସାରିଛୁ
କଉଡ଼ି ପଥର ଫୋପଡ଼ା ଫୋପାଡ଼ି
କଳି ଗୋଳରେ ମାତିଛୁ ||4||
ଡିବିରି ଲଣ୍ଠନ ମିଞ୍ଜି ଆଲୁଅରେ
ପାଖେ ବସି ପାଠ ପଢ଼ିଛେ
କାଚ ଭାଙ୍ଗିଗଲେ ରସୁଣର ଅଠା
ଲଗାଇ ତାହା ଯୋଡ଼ିଛେ ||5||
ଦୂର ସମ୍ପର୍କୀୟ ଲୋକଙ୍କ ଖବର
ଜାଣିବାକୁ ଚିଠି ଲେଖିଛେ
ପୋଷ୍ଟ କାର୍ଡ ଖଣ୍ଡେ ପୋଷ୍ଟ କରିଦେଇ
ଉତ୍ତରକୁ ଚାହିଁ ବସିଛେ ||6||
ବହୁ ସମୟରେ ପୋଷ୍ଟ ପିଅନଠୁ
ମନି ଅର୍ଡର ଯେ ରଖିଛୁ
ଟଙ୍କା ଗଣିଗଣି ଚଳିବା ପାଇଁକି
ଶପଥରେ ଟାଣ ହୋଇଛୁ ||7||
ଆମେ ବୋଧହୁଏ ଶେଷପିଢ଼ି ଲୋକ
ଶିକ୍ଷକ ଠୁ ମାଡ ଖାଇଛୁ
ଏ କଥାକୁ ଘରେ କହି ଦେଲେ ପୁଣି
ବାପା ମାଆ ଗାଳି ଶୁଣିଛୁ ||8||
ଆମ ପିଲା ମାନେ ଏ କଥାକୁ ଶୁଣି
ଆଶ୍ଚର୍ଯ୍ୟ ହୋଇ ଚାହାଁନ୍ତି
ସମୟର ଗତି କୁଆଡେ ଯାଉଛି
ଷାଠିଏ ଗଲାଣି ବିତି ||9||
