ଶେଷ ଇଚ୍ଛା
ଶେଷ ଇଚ୍ଛା
କଥା ଦେଇଥିଲି, ସାଥୀ ହେବି ବୋଲି
ସାଥୀ ହେବି ବୋଲି ତୁମର,
ହାଟ ସାରି ବାଟେ ଯାଉ ଯାଉ କାହୁଁ
ମାଡି ଆସିଲା ତ ଅନ୍ଧାର l
ସରିଗଲା ମୋର ଜୀବନ ସଉଦା
ଅଧା ବାଟେ ଗଲି ରହି,
ଅଧୁରା ରହିଲା ଜୀବନ ନାଟକ
ଅଭୁଲା ପରଶ ହୋଇ l
ସେ ପଟରେ ଡାକେ ଧରମ ର ଦେବ
ଏ ପଟେ ରହିଲ ତୁମେ,
ପାଇଲିନି ଦେଖା ଅନ୍ତିମ କ୍ଷଣରେ
ମରମଟି ତା'ରେ ଝୁମେ l
ଯାହା କିଛି ତୁମ ପ୍ରୀତିର ପ୍ରତୀକ
ସେତକ ମୋ ଗଣ୍ଠି ଧନ,
ସେଇ ମୋର ସୁଖ ସରଗ ସମ୍ପଦ
ଶଙ୍ଖା ସିନ୍ଦୂରର ଚିହ୍ନ l
ଭାବିବନି କେବେ ଲୁହକୁ ଝରାଇ
କରିବନି ମନ ଉଣା,
ଶିରି ଶିରି ବାଆ ସାଥୀ ହୋଇ ମୁଁ
ନିତି ଦେଉ ଥିବି ଚୁମା l
ଭ୍ରମର ସାଥିରେ ଗୀତଟିଏ ହୋଇ
ଗାଇବି ମୁଁ ତୁମ ପାଇଁ,
ତୁମ ଅଗଣାରେ ଫୁଲ ପାଖୁଡ଼ାରେ
ହସିବି ମୁଁ ଫୁଲ ହୋଇ l
ଦୁଆରରେ ତୁମ ଦୁବ ଘାସ ହୋଇ
ମାଗିବି ଚରଣ ଧୂଳି,
ଛାଡିଗଲି ବୋଲି ନ କରିବ ରୋଷ
ଦେବ ନାହିଁ ମୋତେ ଗାଳି l
ଘିଅ ହଳଦୀରେ ସଜାଇ ଦେବ ଗୋ
ଟୋପାଏ ସିନ୍ଦୂର ଦେଇ,
ନାଲି ଲୁଗା ଦେହେ ପିନ୍ଧାଇବ ମୋର
ପାଦରେ ଅଳତା ଦେଇ l
ଅହ୍ୟ ଡେଙ୍ଗୁରା ବଜାଇ ଖଇ କଉଡ଼ିକୁ
ଦେବ ମୋ ଶେଯେ ବିଛାଇ,
ଶେଷ ପରଶର ଛୁଆଁ ଦେଇ ମୋର
ଯୁଇକୁ ଦେବ ସଜାଇ l
ଆର ଜନମକୁ ସାଥୀ କରି ମୋତେ
ହୃଦୟରେ ଦେବ ସ୍ଥାନ,
ଯୁଇର ପାଉଁଶେ ଚିଠି ମୁଁ ଲେଖୁଛି
କରୁଛି ଶେଷ ପ୍ରଣାମ ll
