ଶବ ବି ଗାଇବ ବୀରତ୍ୱ ଗାଥା
ଶବ ବି ଗାଇବ ବୀରତ୍ୱ ଗାଥା
ଭଗ୍ନସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ
କ୍ଷତି ଗ୍ରସ୍ତ ଏଇ ୟୁକ୍ରେନ ମାଟିର
ଅତ୍ୟାଚାରିତା ନାରୀଟିଏ ll
ରୁଷ ସେନାର ବଳତ୍କାର ଚାଲେ
ଶକ୍ତିହୀନ ମୋର ଶରୀରରେ
ଆଦେଶ ପାଳନ୍ତି ପତ୍ନୀମାନଙ୍କର
ନିର୍ଭୀକ ରୁଷୀୟ ପିଶାଚମାନେ
ଜଳ ବିନା ମୋର ଅବଶ ଦେହଟା
ମାଟି ମଟାଳରେ ଲୋଟିଯାଏ
ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ ll
କେମିତ ଚାଲିଛି ନାରକୀୟ କାଣ୍ଡ
ନର ସଂହାରର ହିଂସ୍ର ଲୀଳା
ମାନବ ବାଦର ଜଳାଞ୍ଜଳି ଦେଇ
ଦାନଵମାନଙ୍କ ଚାଳିଛି ମେଳା
ମାଆ ସମ୍ମୁଖରେ ଟଳି ପଡେ ଶିଶୁ
ଘନ ଘନ ବୋମା ମାଡ଼ରେ ଯିଏ
ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ ll
ଖାଦ୍ୟ ନାହିଁକି ପାନୀୟ ବି ନାହିଁ
ଔଷଧ ବିନା ମରନ୍ତି କେତେ
ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି
ମାତୃଭୂମିର ଗାରିମା ଯେତେ
ଏଇ ଏ ମାଟିର ବୀର ସନ୍ତାନ
ଜେଲେନେସ୍କି ଲଢ଼େ ଯୋଦ୍ଧା ପ୍ରାୟେ
ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ ll
ଚାହିଁ ଦେଖୁଛନ୍ତି ବିଶ୍ୱ ଜନତା
ପାଜି ପୁଟିନର କି ଅହଂକାର
ଗଣ ହତ୍ୟା କରି ବିକଳାଙ୍ଗ କରି
କି ଅବା ପାଇବ ସେ ପୁରସ୍କାର
ଶବ ଉପରେ କି ସୌଧ ଗଢ଼ିବ
ବିଶ୍ୱେ ରଚିବ କୀରତି ସିଏ
ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ ll
ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଦେହେ
ସଶକ୍ତ ସଂଗ୍ରାମ ରଚିବୁ ବୋଲି
ୟୁକ୍ରେନର ମୁଠାଏ ମାଟିରେ
ରକ୍ତ ନିଗାଡ଼ି ଖେଳିବୁ ହୋଲି
ଯୁବା ଠାରୁ ବୃଦ୍ଧ ସଭିଏଁ ପ୍ରସ୍ତୁତ
ପ୍ରତିହିଂସାର ବହ୍ନି ପ୍ରାୟେ
ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ ll
ଭୀରୁ ଭଳି ଆମେ ପାରିବୁନି ମରି
ଶବବି ଗାଇବ ଗୌରବ ଗାଥା
କ୍ଷୁଦ୍ର ହେଲେବି ଡରିନାହୁଁ ଆମେ
ଉର୍ଦ୍ଧ୍ଵେ ଉଠାଇ ବୀରତ୍ୱ ମଥା
ଚକ୍ଷୁରେ ଭରିଛୁ ଆଶାର ଆଲୋକ
ବିଜୟ କେତନ ଉଡିବା ଯାଏ
ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ
ଭଗ୍ନ ସ୍ତୂପର ଶବଟିଏ ll
