ଶାଶ୍ୱତ ବନ୍ଧୁତ୍ୱ
ଶାଶ୍ୱତ ବନ୍ଧୁତ୍ୱ
** ଶାଶ୍ୱତ ବନ୍ଧୁତ୍ବ **
ଅନେକ ଥର ପ୍ରଶ୍ନ ଉଙ୍କେ
କେଉଁ ପୁଣ୍ୟର ପ୍ରାପ୍ତିରେ
ଅବା କେଉଁ ଈଶ୍ୱରୀୟ
କରୁଣାର ସାନ୍ନିଧ୍ୟରେ
ଝୁଣ୍ଟି ପଡିଲି ତୁମ ବାଟରେ,
ଧପ୍ କରିଭେଟ ହେଲା
ଅବେଳାରେ ଯେବେ ତୁମ ସାଥିରେ,
ନିରୀହ ଆଖିର କୋମଳ ହସରେ
କଅଁଳୁଥିଲା ମୋ ହୃଦୟ ବନରେ
ନୂଆ ଗୋଟେ ଆତ୍ମୀୟ ପାଦପ।
ବାକ୍ କଟୁତାର ଶବ୍ଦ
ଛୁଇଁ ନ ଥିବା ଓଠ ପାଖେ
ବାରମ୍ବାର ହାରୁଥିଲା ମୋ କଠୋରତା,
ଧୀରେ ଧୀରେ ଭିତ୍ତିପ୍ରସ୍ତର ହେଉଥିଲା
ନବ ନିର୍ମିତ ସମ୍ପର୍କର ଉତ୍ତୁଙ୍ଗ ସେତୁ।
କିଛି ସ୍ନେହ ଆଉ କିଛି
ମମତ୍ୱର ଆକର୍ଷଣ
ଟାଣି ନେଲା ତୁମ ଆଡେ,
ମୋ ମନର ନିଭୃତ କୋଣରୁ
ଖୋଲିଗଲା ସପ୍ତ ସିନ୍ଧୁ ତଳେ ଲୁଚାଥିବା
ଯନ୍ତ୍ରଣା ସବୁ ତୁମ ଆଗେ
କେହି ଆପଣାର ପରି।
ତୁମ ଉପସ୍ଥିତିରେ ପୃଥିବୀଟା
ଦିଶିଗଲା ବର୍ଷା ପରର
ଇନ୍ଦ୍ରଧନୁର ରଙ୍ଗୀନ ଚାନ୍ଦୁଆ,
ମୁଁ ବି ଆଉ ଟିକେ ଭିଡି ହେଇଗଲି
ଯୋଉଦିନ ତୁମେ ଇଙ୍ଗିତରେ
ଜଣେଇଲ ମୋ ଅନୁପସ୍ଥିତିର
କଳା ବାଦଲଟେ ଘୁରୁଥିଲା
ତୁମ କାର୍ଯ୍ୟାଳୟ ଆକାଶରେ
ଆଉ କେବେ କେବେ
ତୁମ ସିଟ୍ ପାଖ ଫାଙ୍କା ଚଉକିରେ,
ମୋ ଅଜାଣତରେ କେଜାଣି
କେତେବେଳେ ସମର୍ପି ଦେଇଥିଲି
ବନ୍ଧୁତ୍ୱକୁ ଗୋଟେ ନିଷ୍ପାପ ହୃଦୟ ପାଖେ
ରାଣ ଅଛି ମନେ ନାହିଁ।
ବେଳେବେଳେ ଏକାନ୍ତରେ
ତୁମେ ଭାବନାରେ ପଶିଗଲେ
ମୁଁ ଚହଲି ଯାଉଥିଲି,
ଭୟର ଶିହରଣ ଥରେଇ ଦଉଥିଲା
ମୋ ପ୍ରାଣର ଅଷ୍ଟାଙ୍ଗ ଶରୀର,
କାଳେ କାର
ଡାହାଣିଆ ନଜରଟା
କାଳ ସର୍ପ ହେଇ ଗ୍ରାସ କରିନେବ।
ହେଲେ ଘଡିକରେ ପୁଣି
ସଜାଡି ନିଏ ନିଜକୁ,
ଯେବେ ମନେ ପଡେ
ତୁମ ଶବ୍ଦର ଶାଣିତ ସ୍ୱର,
ଏ ସମ୍ପର୍କଟା କାହା ସ୍ୱାର୍ଥର
ଦାବାନଳରେ ଭସ୍ମୀଭୂତ
ଅଙ୍ଗାରଟେ ନୁହେଁ,
ବରଂ ଦୁଇ ନିଃସ୍ୱାର୍ଥ ଆତ୍ମାର
ଶାଶ୍ୱତ ବନ୍ଧୁତ୍ୱର ପରିଚୟ ଟିଏ।