STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଶାନ୍ତିସ୍ତୁପ ଧଉଳି

ଶାନ୍ତିସ୍ତୁପ ଧଉଳି

1 min
472

ପାଦତଳେ ତାର ବହିଯାଏ ଖରେ

ଦୟା ନାମ୍ନୀ କଲ୍ଲୋଳିନୀ,

ଶିଖରେ ଉଡୁଛି ଶାନ୍ତି ଧ୍ଵଜା ଧୀରେ

ହରିନିଏ ଶତ ଗ୍ଲାନି।


ସମ୍ମୁଖେ ଶୋଭିତ ପ୍ରସ୍ତର ନିର୍ମିତ

ଗଜରାଜ ଚାରୁ ଚିତ୍ର,

ହସ୍ତୀ ନୁହେଁ ସେ ଯେ ସ୍ୱୟଂ ତଥାଗତ

ବୌଦ୍ଧ ପାଇଁ ସେ ପବିତ୍ର।


ପାଷାଣେ ଖୋଦିତ ଆନୁଶାସନର

ରାଜଧର୍ମ ଶିଳାଲେଖ,

ବୌଦ୍ଧ ଭିକ୍ଷୁ ପାଇଁ ସାଧନା ପ୍ରେରଣା

ଜୀବନର ମହାମୋକ୍ଷ।


ଶ୍ୱେତ କଳେବରେ ଶାନ୍ତି ପାଗୋଡ଼ା

ସଗୌରବେ ଟେକି ମଥା,

ଉଦଘୋଷଣା କରେ ପ୍ରଭାବୀ କଣ୍ଠରେ

ଶାନ୍ତିର ସ୍ନିଗ୍ଧ ବାରତା। 


ଅଶ୍ୱତ୍ଥମା ହସ୍ତୀ ଆଜି ବି ବଖାଣେ

ମହାଭାରତର ଗାଥା,

ପଞ୍ଚୁପାଣ୍ଡଵ ସେ ଗୁମ୍ଫା ଅଛି ରହି

ପୁରାଣର ସାକ୍ଷୀଚେତା।


ଗିରି ଶିଖରରୁ ଝଲସୁଥାଏ କି

ଭୁବନେଶ୍ୱରର ଶିରୀ,

ପଞ୍ଚ ଛତ୍ର ଦୂରୁ ପଥିକ ଚିତ୍ତରେ

ଶାନ୍ତିର ପୀୟୂଷ ଭରି। 


କଳିଙ୍ଗ ଯୁଦ୍ଧର ମହା ବିଭୀଷିକା

ଆଜି ବି ଥରାଏ ହିଆ,

ଚଣ୍ଡାଶୋକର ରକ୍ତିମ ନୟନେ

ଜଳୁଥିଲା ଦିନେ ନିଆଁ।


ରକ୍ତ ଆଣି ଦେଲା ଶାନ୍ତିର ସମ୍ବାଦ

ଦିଗବିଜୟ ଲିପ୍ସା ଭାଜି,

ଶୈବାଳିନୀ ପୃଷ୍ଠେ ପ୍ରସ୍ଫୁଟିତ ହେଲା

କରୁଣା କଦମ୍ବ ରାଜି।


ତରବାରୀ ଧାରେ ବିଜୟ ତିଳକ

ତୁଛା ଅପଯଶ ସିନା,

ହୃଦୟ ଜୟ ହିଁ ପ୍ରକୃତ ବିଜୟ

ଏହା ମହାଶିକ୍ଷା ପରା।


ସୁରଭଗିରିର ଗମ୍ବୁଜ ଶିଖରେ

ଉଡୁଛି ଶାନ୍ତିର ନେତ,

ଦୟା ସ୍ନେହ ପ୍ରେମ, କ୍ଷମା କରୁଣାର

ଧଉଳି ଗାଉଛି ଗୀତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍