ସେହି ବାସ୍ନା
ସେହି ବାସ୍ନା
ନା ମଲ୍ଲୀ ନା ଗୋଲାପ
ନା ରଜନୀଗନ୍ଧା ର ସମ୍ଭାର
ନା ବାସ୍ନାୟିତ ଅତର
ବୋଳି ହୁଏ
ମୁଁ ମୋ ସର୍ବାଙ୍ଗ ରେ
ତଥାପି ତାଙ୍କୁ ଲାଗେ
ମୁଁ ମହକିତ ପ୍ରତିଟି ବାସ୍ନା ରେ
ମୁଁ ଵୁଝିପାରେନା ସେଥିପାଇଁ ତାଙ୍କ ର
ଇର୍ଷା ନା ଅଭିମାନ
ହେଲେ ପ୍ରତିଥର ଅଭିଯୋଗ ବାଢ଼ନ୍ତି
ସେଇ ଏକା ପ୍ରକାର l
ପୁଣି ପରମୂହୂର୍ତ୍ତ ରେ ବଦଳେ
ତାଙ୍କ ର ଭାବଭଙ୍ଗୀ
ଚଳଚଞ୍ଚଳ ହୋଇ ଉଠେ
ତାଙ୍କ ର ପ୍ରଶସ୍ତ ବାହୁ
ଆଖି ହୋଇ ଯାଏ ମୋହାଛ୍ଛନ୍ନ
ନିବିଡ଼ ଆଲିଙ୍ଗନ ରେ ସେ କୁହନ୍ତି
କୁହ ତ ! ତୁମ ଦେହର ବାସ୍ନା ରେ
ଏତେ ମାଦକତା କାହିଁକି?
ହେଲେ ତାଙ୍କର ଏ ପ୍ରଶ୍ନବାଣରେ
ମୁଁ ଲାଜରେ ଲାଜେଇ ଯାଏନି
କି ଲାଜକୁଳୀ ଲତା ଟିଏ ଭଳି
ଝାଉଁଳି ଯାଏନି
କାହିଁକି ନା ତାଙ୍କ ଅଜଣାତରେ
ତାଙ୍କ ର ସ୍ଵେଦଯୁକ୍ତ ଦେହର ବାସ୍ନା ରେ
ମୁଁ ମହକୁଥାଏ ସେଇ
ପ୍ରତି ଟି ମୁହୁର୍ତ୍ତ ରେ
ସେହି ବାସ୍ନା ରେ ବିମୋହିତ ହୋଇ
ମୁଁ ଓଜାଡି ଦିଏ ମହଣମହଣ
ସ୍ନେହ ତାଙ୍କ ପାଦତଳେ..... ।।
