ସ୍ବଭାବ କବିଙ୍କ ଅଭାବ ସ୍ମୃତିରେ
ସ୍ବଭାବ କବିଙ୍କ ଅଭାବ ସ୍ମୃତିରେ
ଗଙ୍ଗାଧର ତୁମେ, ରଙ୍ଗା ଅଧର ହେ,
ସାହିତ୍ୟର କାରିଗର,
ତୂଳୀ ଧରି ଯାହା, ଭାଳି ଲେଖିଦେଲ,
ରହିଲା ସ୍ମୃତିର ଗାର।
ପିଲାଟି ଦିନରୁ, ଭୂଲା ମନ ନେଇ,
ଖେଳିଲ ପ୍ରକୃତି ସାଥେ,
ସ୍ବୀକୃତି ଦେଲା ସେ ସାରା ଜୀବନର,
ସାହିତ୍ୟରେ ଅବିରତେ।
ଲେଖିଲ କୀଚକ ବଧକୁ ସଧିରେ,
ସାଧୁତା ପାଇଲା ଜନେ,
ତପସ୍ଵିନୀ କାବ୍ୟ ଜୀବନ୍ତ କରିଲ,
ମାନସୀ କନ୍ୟାର ପଣେ।
ତୋଳିଲ ସାହିତ୍ୟ ସଉଧ ଭିତରେ,
ନବ ଗଢ଼ା ସ୍ତମ୍ଭ ମାନ,
ଇନ୍ଦୁମତୀ ପୁଣି ପ୍ରଣୟ ବଲ୍ଲରୀ,
ଅର୍ଘ୍ୟଥାଳି ଆଦି ଗଣ୍ୟ।
ମାନବୀୟ ବଳେ ଦୁର୍ବଳତା ଏଡ଼ି,
ମୌଳିକତା ନୂତନତା,
ସମୀକରଣରେ ଆଧୁନିକ ରୁଚି,
ବଢ଼ାଏ ପାଠକ ପ୍ରୀତ୍ୟେ,
ପୁନର୍ଜନ୍ମି ତୁମେ ଅମୃତ ସାଗରେ,
ଭାବାମୃତ ପଦ ଚୁମି,
ଅମୃତ ସନ୍ତାନ ଧରା ମଧ୍ୟେ ତୁମେ,
ଅମୃତ ବାରତା ଭଣି।
ଅମୃତମୟ ଜୀବନୀ ତୁମରି,
ଜାତୀୟତା ଦେଶ ପ୍ରୀତେ,
ଅମୃତ ସନ୍ଧାନୀ ଅମୃତ ପରଶ,
ଭରିଛ ମାନବ ହୃଦେ।
ସ୍ଵତନ୍ତ୍ରତା ତୁମେ ଭରିଛ ମନରେ,
ସ୍ବତଃ ଉଦ୍ଦୀପନା ଦେଇ,
କବିତା କଲ୍ଲୋଳେ ମହକ ଭରିଛ,
ଜୀବନ୍ତ ପ୍ରତିମା ହୋଇ।
ଅମୃତମୟ ଅମୃତ ଭରି,
ଆନନ୍ଦବାଦର ମୂଳେ,
ଦର୍ଶାଇ ଦେଲ ପ୍ରକୃତି ମଧ୍ୟେ,
ଜୀବଜନ୍ତୁ ପ୍ରୀତି ହେଳେ।
ମନୁଷ୍ୟ ଜୀବନ ନିରର୍ଥକ ନୁହେଁ,
ଧନ୍ୟ କରାଇଲ ଗୀତେ,
ସୁଖ ଦୁଃଖ ଭରା ଜୀବନ ନାଟକ,
ଜଣାଇ ଜଗତ ହିତେ।
ସ୍ଵଭାବର କବି ଅଭାବ ରଖିନ,
ଭାବ ସାହିତ୍ୟର ପଦ,
ଭାବ ଭରିଦିଅ ନବ କବି ହୃଦେ,
ନବ ଚେତନାର ମୋଦ।
ଗଙ୍ଗାଧର ତୁମ ରଙ୍ଗା ଚରଣରେ,
ଅଙ୍ଗ ମୋ ଲୋଟୁ ହେ ବଳେ,
ତୁଙ୍ଗ ହୋଇ ସାଜୁ ନବ କବି ହୃଦେ,
ତୁମରି ଚେତନା ତିଳେ।
ବିଷ୍ଣୁ ପ୍ରସାଦ ମିଶ୍ର
କୋରାପୁଟ
