ସାଥୀ ସେ ଅତି ନିଆରା ଘର
ସାଥୀ ସେ ଅତି ନିଆରା ଘର
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
ସାଥୀ ସେ ଅତି ନିଆରା ଘର,
ରହନ୍ତି ପୂର୍ଣ୍ଣ ପୁରୁଷ ମୋର ।
ସୁଖ ଓ ଦୁଃଖ ସେଠାରେ ନାହିଁ,
ମିଥ୍ୟା ଆଚାର ସତ୍ୟ ବି ନାହିଁ,
ପସରା ନାହିଁ ପାପ ପୂଣ୍ୟର,
ନା ଦିବା ରାତ୍ରୀ ନା ସୂର୍ଯ୍ୟ ଚନ୍ଦ୍ର,
ସଦା ଉଜ୍ଜ୍ୱଳ ବିନା ଜ୍ୟୋତିର ।
ନାହିଁ ସେଠାରେ ଜ୍ଞାନ ବା ଧ୍ୟାନ ।
ଜପ ବା ତପ ଅବିଦ୍ୟମାନ,
ବେଦ, କିତାବ ନା ପ୍ରବଚନ ।
କର୍ମ, ଅକର୍ମ, ତ୍ୟାଗ, ଗ୍ରହଣ,
ନାହିଁ ଏ ସବୁ ନିମନ୍ତେ ସ୍ଥାନ ।
ଘର, ବେଘର, ଭିତର, ବହିଃ,
ପିଣ୍ଡ ବ୍ରହ୍ମାଣ୍ଡ କିଛି ବି ନାହିଁ ।
ପଞ୍ଚ ତତ୍ତ୍ୱ ଓ ତ୍ରିଗୁଣ ନାହିଁ,
ସାକ୍ଷୀ ଶବଦ ସେଠାରେ ନାହିଁ ।
ମୂଳ ନା ଫୁଲ, ଶାଖା ନା ବୀଜ,
ବିନା ବୃକ୍ଷରେ ଫଳେ ସହଜ ।
ଅଧଃ, ଉର୍ଦ୍ଧ୍ୱର ଓଁ, ସୋହମ୍, ନାହିଁ,
ଶ୍ୱାସ ପ୍ରଶ୍ୱାସ କିଛି ବି ନାହିଁ ।
ପ୍ରଭୁଙ୍କ ଘରେ କିଛି ବି ନାହିଁ,
କହେ କବୀର ଜାଣିଛି ମୁହିଁ,
ପ୍ରଭୁଙ୍କୁ ଲକ୍ଷ୍ୟ କରେ ଯେ କେହି,
ନିର୍ବାଣ ନିଶ୍ଚେ ପାଇବ ସେହି ।
