ସାଂସ୍କୃତିକ କ୍ଷେତ୍ର-ଯାଜପୁର
ସାଂସ୍କୃତିକ କ୍ଷେତ୍ର-ଯାଜପୁର


ଐତିହ୍ଯ ମଣ୍ତିତ ସଂସ୍କୃତିରେ ଭରା
ବିରଜାଙ୍କ ଗଳାହାର
ତପୋବନ ପରି ଲାଗଇ ସତେ କି
ଓଡିଶାର ଯାଜପୁର॥୧
ପୁରାଣେ ବର୍ଣ୍ଣିତ କେତେ କିମ୍ବଦନ୍ତୀ
ଏବେ ବି ସତେଜ ଅଛି
ମାଆ ବିରଜାଙ୍କ ଆର୍ବିଭାବ ଗାଥା
ଯୁଗ ଯୁଗରୁ ରହିଛି॥୨
ହରଙ୍କ ଘରଣୀ ଦକ୍ଷ ଯଜ୍ଞ ସ୍ଥଳେ
କ୍ରୋଧରେ କଲେ ପ୍ରବେଶ
ପତି ଅପମାନ ଅସହ୍ୟ ହେବାରୁ
ଯଜ୍ଞେ କୁଣ୍ତେ ଦେଲେ ଝାସ॥୩
ଉଗ୍ର ରୂପ ଧରି ମହାକାଳ ଶିବ
ଉଦ୍ଧାରିଲେ ମୃତ ପିଣ୍ତ
ବିଷ୍ଣୁ ଚକ୍ରାଘାତେ କରିଥିଲେ ପୁଣି
ସେ ପିଣ୍ତକୁ ଖଣ୍ତ ଖଣ୍ତ॥୪
ଭୂପତିତ ହେଲା ଶରୀରର ଅଂଶ
ଏଣେତେଣେ ଭୂମଣ୍ତଳେ
ତାଙ୍କ ଅର୍ଦ୍ଧଦଗ୍ଧ ନାଭି ପଡିଥିଲା
ଏ ଶକ୍ତିପୀଠର ସ୍ଥଳେ॥୫
ସିଂହ ବାହିନୀ ମାଆ ଶକ୍ତି ସ୍ବରୂପା
ବିରଜା ନାମକୁ ବହି
କରୁଛନ୍ତି କଲ୍ୟାଣ ବିଶ୍ବବାସୀଙ୍କୁ
କୃପା ନେତ୍ରେ ସଦା ଚାହିଁ॥୬
ଯଯାତି କେଶରୀ ଦଶ ଅଶ୍ବମେଧ
ଯଜ୍ଞ କରିବେ ବୋଲିଣ
କାନ୍ୟକୁବ୍ଜୁ ଦଶହଜାର ବ୍ରାହ୍ମଣ
ଆଣିଥିଲେ ତ ଡାକିଣ॥୭
ମନ୍ତ୍ର ଆହୂତିର ନିର୍ଘୋଷ ଧ୍ବନିରେ
ଧରା ହେଲା ପ୍ରକମ୍ପିତ
>
ବୈତରଣୀ ତଟ ଏ କ୍ଷେତ୍ର ହୋଇଲା
ଯଜ୍ଞପୁର ନାମେ ବିଖ୍ୟାତ॥୮
ରମ୍ୟ ଉପବନ ବ୍ୟାସ ସରୋବର
ପୌରାଣିକ କୀର୍ତ୍ତିରାଜି
ସବୁକୁ ଆନନ୍ଦେ କୋଳେଇ ନେଇଛି
ଅମରାବତୀଟେ ସାଜି॥୯
ରତ୍ନଗିରି,ଉଦୟଗିରି ସହିତ
ଓଳାଶୁଣି ଧର୍ମପୀଠ
ରହିଛି ଏଠାରେ ବରୁଣେଶ୍ବରଙ୍କ
ପ୍ରସିଦ୍ଧ ଯେ ଶୈବପୀଠ॥୧୦
ବାବା ସିଦ୍ଧେଶ୍ବର ତ୍ରିଲୋଚନେଶ୍ବର
ଗୋକର୍ଣ୍ଣେଶ୍ବର ମନ୍ଦିର
ତା' ସହିତ ରହିଛି ଚଣ୍ତିଖୋଲର
ପ୍ରାଚୀନ ଚଣ୍ତି ମନ୍ଦିର॥୧୧
ଦଶ୍ବାଶମେଧ ଘାଟ,ସପ୍ତମାତୃକା
ମହାବିନାୟକ ପୀଠ
ପର୍ଯ୍ୟଟନ ସ୍ଥଳ ଦ୍ବିତୀୟ ଶ୍ରୀକ୍ଷେତ୍ର
ମାଳିକା ଛତିଆ ବଟ॥୧୨
କେତେ ଐତିହାସିକ କୀର୍ତ୍ତିକୁ ସିଏ
ବକ୍ଷରେ ସାଇତି ଅଛି
ତା' ପ୍ରତ୍ନତାତ୍ତ୍ବିକ ସମ୍ପଦ ବିଶ୍ବକୁ
ଆକୃଷ୍ଟ ପୁଣି କରୁଛି॥୧୩
ସଦ୍ୟ ନିର୍ମିତ କୁସୁମା ପୁଷ୍କରିଣୀ
ସୌନ୍ଦର୍ଯ୍ୟ ଦେଖିବା ପାଇଁ
ବର୍ଷ ତମାମ କେତେ ଯେ ପର୍ଯ୍ୟଟକ
ଆସନ୍ତି ଏଠାକୁ ଧାଇଁ॥୧୪
ଛତିଆ ବଟରେ କଳ୍କୀ ଅବତାର
ନେବେ ପରା ଭାବଗ୍ରାହୀ
ବିରଜା କ୍ଷେତ୍ରରେ ଭୈରବୀ ଡାକିଲେ
ଶେଷ ହେବ ଏହି ମହି॥୧୫