ସାହାସର ଗାଥା
ସାହାସର ଗାଥା
ପାଣିରେ ଭାସିଲା,
କାଗଜର ଡଙ୍ଗା,
ଡୁବିଗଲା,
ଡଙ୍ଗାର କଥା ନୁହେଁ, ସାହାସର ଗାଥା ।
ଅଲୋକାଭିମୁଖୀ,
ଛୋଟିଆ ପତଙ୍ଗ,
ଜଳିଗଲା,
ପତଙ୍ଗର କଥା ନୁହେଁ, ସାହାସର ଗାଥା ।
ସାଗରର ବେଳାଭୂମି,
ବାଲୁକାର ଦୁର୍ଗ,
ଭାଙ୍ଗିଗଲା,
ଦୁର୍ଗର କଥା ନୁହେଁ, ସାହାସର ଗାଥା ।
ସୂର୍ଯ୍ୟର ଅଜସ୍ର ପ୍ରଭା,
କ୍ଷୁଦ୍ର ଦୀପ,
ନିଃଷ୍ପ୍ରଭ ହୋଇଗଲା,
ଦୀପର କଥା ନୁହେଁ, ସାହାସର ଗାଥା ।
ଆକାଶର ଛାତିରେ,
ଧୂମକେତୁର ଲିପି,
ଲିଭିଗଲା, ଲିପିର କଥା ନୁହେଁ,
ସାହାସର ଗାଥା ।
ପାହାଡ଼ର ପାଦଦେଶେ,
ଝରଣାର ଜିଦ୍,
ଶୁଖିଗଲା,
ଝରଣାର କଥା ନୁହେଁ,
ସାହାସର ଗାଥା ।
ଶୀତର ପ୍ରକୋପରେ,
ଶେଷ ପାଖୁଡ଼ାଟି,
ଝଡ଼ିଗଲା,
ଫୁଲର କଥା ନୁହେଁ,
ସାହାସର ଗାଥା ।
ଅଥଳ ଆକାଶ ପଥେ,
କାଗଜର ଗୁଡ଼ିଟିଏ,
ଛିଣ୍ଡିଗଲା,
ଗୁଡ଼ିର କଥା ନୁହେଁ,
ସାହାସର ଗାଥା ।
