STORYMIRROR

sushama Parija

Others

3  

sushama Parija

Others

ସ୍ୱପ୍ନ ର ଘର

ସ୍ୱପ୍ନ ର ଘର

2 mins
182




ପୁଅରେ ! ଆଜି ଅନେକ ଦିନ ପରେ ବୁଝି ପାରୁଛି ଯେ,

ଇଟା ବାଲି ସିମେଣ୍ଟ ରେ ତିଆରି ହୋଇଥିବା ଘରଟିଏ

ପ୍ରକୃତ ଅର୍ଥ ରେ ଘର ନୁହେଁ, ଖାଲି ଗୋଟାଏ ସୌଧ।।

ମନେ ପଡୁଛି ପିଲାଦିନେ ପଡିଥିବା ବର୍ଣ୍ଣବୋଧ ର ପଦ

“ ସରଗ ସମାନ ଆହା ଅଟେ ସେହି ଘର,

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର “

ଆଜି ମୋର ହୃଦ୍ ବୋଧ ହେଉଛି, ପ୍ରକୃତରେ

କେଡେ ନିଚ୍ଛକ ସତ୍ୟ କଥା ଟିଏ ଥିଲା ସେ,

ଘର ଘର ହୋଇ ମାଆ ତୋ’ର ବ୍ୟାକୁଳ ହେଲା,

ପିଲାମାନଙ୍କ ପାଇଁ ଘର ଖଣ୍ଡିଏ ତ କର ରାଜଧାନୀ ରେ,

ସାମନ୍ତରା ବାବୁ, ପଟ୍ଟନାୟକ ବାବୁ କେବେଠୁ କଲେଣି,

ଆମ ପିଲା କ’ଣ ଆଉ ସେ ଢେଙ୍କାନାଳ ଗାଁ ରେ ରହିବେ?

ଏଇଠି ରାଜଧାନୀ ରେ ତୁମର ଚାକିରୀ କାଳ ସରିବା,

କ୍ୱାର୍ଟର ତ ଛାଡିବାକୁ ପଡିବ ନିଶ୍ଚୟ, ଅନ୍ତତଃ ତା’ପୂର୍ବରୁ,

ଘରଟିଏ ଥାଉ, ପାଞ୍ଚ ପ୍ରାଣୀ ମୁଣ୍ଡ ଗୁଞିବାକୁ ,ତା’ରି କଥାରେ

ଗାଁ ର ବାପଅଜା ଅମଳ ର ଭିଟାମାଟି ବିକ୍ରି କଲି, ତୋ ମାଆର

ବାପଘରୁ ଆଣିଥିବା ଗହଣାଗାଣ୍ଠି ବିକ୍ରି କଲି, ତଥାପି ସରିଲାନି,

ଘରକାମ, ପ୍ରୋଭିଡେଣ୍ଟ ଫଣ୍ଡ ର ଟଙ୍କା ବି ସରିଗଲା ସେଇଠି ।

ଘର ତିଆରି ସରିବା ଆଗରୁ ମୋ ବାପା ମାଆ ଚାଲିଗଲେ ,

ବୋଧହୁଏ ଗାଁ ର ପାଣି ପବନ ରେ ଅଭ୍ୟସ୍ତ ଶରୀର ତାଙ୍କର

ରାଜଧାନୀ ର ଗୋଲାମଗିରି ସହି ପାରିଲାନି, ତୁ ବଡ ହେଲୁ,

ପାଠ ଶାଠ ପଢି ଇଞ୍ଜିନିଅର ହୋଇ ବିଦେଶରେ ଚାକିରୀ କଲୁ,

ପର ଲାଗିଲା ରୁ ଆମ ବସା ଛାଡି ଉଡିଗଲୁ ଦୂରକୁ, ଦୂରକୁ,

ତୋ ‘ ପାଇଁ ଆକାଶ ର ସୀମା ସରହଦ ନାଇଁ, ହେଲେ

ବାବୁରେ! ବୟସ ବଢିଲା ପରେ ଆମେ ହୋଇଗଲୁ ସୀମିତ,

କେବେ ରୋଗ ଭିତରେ ତ କେବେ କର୍ତ୍ତବ୍ୟବୋଧ ଭିତରେ,

ତୋ’ର ବାଟ ଚାହିଁ ଚାହିଁ ତୋ ‘ ମାଆ ଚାଲିଗଲା, କିନ୍ତୁ

ହାୟ ରେ ଏ ଘର ର ମୋହ, ସିଏ ମତେ ଏମିତି ବାନ୍ଧି ରଖିଛି ଯେ

ତା’କୁ ଛାଡି ତୋ’ର ଶତ ଅନୁରୋଧ ସତ୍ତ୍ୱେ ମଧ୍ୟ ମୁଁ ଯାଇ ପାରୁନି,

ତତେ, ମୋର ବୋହୂକୁ, ନାତି ନାତୁଣୀ ଙ୍କୁ ଦେଖିବାକୁ ଖୁବ୍ ଇଛା,

ହେଲେ ଏଇ ଘରର ମୋହ ଅକ୍ଟୋପସ୍ ପରି ଜାବୁଡି ଧରିଛି ମତେ,

ମୁଁ ସଂପୂର୍ଣ୍ଣ ଭାବରେ କବଳିତ ହୋଇ ସାରିଛି , ନିଜକୁ ସମର୍ପି ଦେଇଛି

ମୋର ଝାଳବୁହା ପରିଶ୍ରମ ର ଏକମାତ୍ର ଉପଲବ୍ଧି ସେଇ ଘର ଟି ପାଖରେ,

ବାରମ୍ବାର ଅନୁରୋଧ କରି ଅସଫଳ ହୋଇ ତୁ ଅଭିମାନ ରେ ଫେରି ଗଲୁ,

ହେଲେ ମୁଁ ପଡି ରହିଛି ରାଜାଧିରାଜ ହୋଇ ମୋର ଏଇ ସ୍ୱପ୍ନ ମହଲରେ,

ତତେ ତ ଅଜାତଶତ୍ରୁ କେବେ ବି କହି ପାରିବିନି, ମୁଁ କିନ୍ତୁ ରାଜା ବିମ୍ବିସାର ,

ନିଜ ନିଃସଙ୍ଗତାରେ ଆକ୍ତା ମାକ୍ତା ହୋଇ ଦିନେ ଚାଲି ଯିବି ମୋ ନଅର ରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍