STORYMIRROR

Hitendra Mohanta

Others

4  

Hitendra Mohanta

Others

ସ୍ୱପ୍ନ ଏକ ସମ୍ଭାବନାର

ସ୍ୱପ୍ନ ଏକ ସମ୍ଭାବନାର

1 min
10.7K



ହିତେନ୍ଦ୍ର ନାଥ ମହାନ୍ତ


ତୂଣୀରର ଶେଷ ଶର

ଖସି ସାରିଛି ଧନୁର ଟଙ୍କାରରୁ ।

ଲକ୍ଷ୍ୟଭେଦ କରୁ କି

ଲକ୍ଷ୍ଯଭ୍ରଷ୍ଟ ହେଉ

ସାଗର ଗର୍ଭରେ ପଡୁ କି

ଆକାଶ ବକ୍ଷରେ ଉଡୁ

ପ୍ରତିପକ୍ଷ ଦେହରେ ଗଳୁ କି

ନିରପେକ୍ଷ ଦାହରେ ଜଳୁ....

ମିଳନର ମଧୁଶାଳାରେ

ବିରହର ରାଗିଣୀ ନ ତୋଳୁ ;

ତୃଷ୍ଣାତକ ମେଣ୍ଟିଯାଉ ପାରିଲାପଣରେ

ଧର୍ମ ଅବା ଅଧର୍ମର

ବିମୁଲ୍ୟାୟନ ଝଙ୍କାରରୁ ॥

ରାବଣର ଅହଙ୍କାର ସ୍କନ୍ଧଚ୍ୟୁତ

କୌରବର ବ୍ୟଭିଚାର ଗାଦିଚ୍ୟୁତ

ସମାଜର କୁସଂସ୍କାର କକ୍ଷଚ୍ୟୁତ

ହୋଇପାରେ ନ ହୋଇପାରେ...

ପ୍ରୀତିର ଅଭିସାର କିନ୍ତୁ

ପ୍ରେମଚ୍ୟୁତ ନ ହେଉ

ଛଳନାର ଶରଶଯ୍ୟାରେ ;

ଜ୍ୟୋତ୍ସ୍ନାତକ ବିଞ୍ଚିପଡୁ ସ୍ୱଘୋଷିତ ବିଜୟରେ

ପ୍ରେରଣା ଅବା ପ୍ରତାରଣାର

ଏକତରଫା ହୁଙ୍କାରରୁ ॥॥

ଗଡ ଜିତିବା ମାୟାରେ ନବବଧୂ

ଶଙ୍ଖା ସିନ୍ଦୁର ପିନ୍ଧି ବି ବିଧବା

ଅବୈଧ ମିଳନର ମୋହରେ

ନାବାଳିକା ଅବାଞ୍ଛିତ ପ୍ରସବା

ବିବସନା ପାଞ୍ଚାଳୀର ଲୁହରେ

ହସ୍ତୀନାପୁରର ଶ୍ରୀହୀନ ସୁଶୋଭା ;

ଅହମିକାର ବ୍ୟାପକତା

ଅଯୌକ୍ତିକ ଦାମ୍ଭିକତା

ତୁଚ୍ଛା ଫୁଟାଣିରେ

ମୁଁ, ମୋର ର ବ୍ୟାକୁଳତା

ଆଉଁସି ନେଉଛି

ହିଟଲର ନେପୋଲିୟନର

ସାମ୍ରାଜ୍ୟବାଦୀ ବର୍ବରତା

ଜାହାଙ୍ଗୀର ଔରଙ୍ଗଜେବର

କପଟବାଦୀ ନୃଶଂସତା ଆଡକୁ...

ଅହିଂସା ପରମୋ ଧର୍ମ

ବୁଦ୍ଧଂ ଶରଣଂ ଗଚ୍ଛାମିର ପ୍ରତିଧ୍ୱନିକୁ

ରାସ୍ତାକଡକୁ ଠେଲିଦେଇ

ମୁଁ ମୋର ନିଜରକୁ

ଔଦ୍ଧତ୍ୱର ପାଲିଙ୍କିରେ ବସାଇ

ବାହାସ୍ଫୋଟର ରୁକ୍ଷ ଗର୍ଜନ

ଅପରାଜେୟ ବାଦଶାହର ଦରବାରରେ ।

ଦେହ ଆଉ ମନ କ୍ଷଣଭଙ୍ଗୁର

ଦୋଦୁଲ୍ୟମାନ ବି

ଅଖଣ୍ଡ ସାମ୍ରାଜ୍ୟର ଶରୀର ;

ଲୁଚି ନ ଯାଇ ଫୁଟି ଉଠୁ

ବନ୍ଦୀ ନ ହୋଇ ମୁକ୍ତି ପାଉ

ଅହଂ ର ଶକ୍ତ ଶିକୁଳିରୁ

ମଣିଷପଣିଆର ପ୍ରେମମୟୀ ଭାବନା

ପ୍ରତାରଣାର ଦୃଢ ଜଞ୍ଜିରରୁ

ଅନୁପ୍ରେରଣାର ହାସ୍ୟମୟୀ ଜୋଛନା

ଅଧର୍ମର ଚକ୍ରବ୍ୟୁହ ଭେଦି

ମାନବ ଧର୍ମର ଲାସ୍ୟମୟୀ ମୂର୍ଚ୍ଛନା

ଆତ୍ମବିଭୋର ସ୍ୱପ୍ନର ଅନ୍ତରାତ୍ମାରେ

ଆନନ୍ଦ ଅବା ଅନ୍ତର୍ଦ୍ଦ୍ୱନ୍ଦର

ସେଇ ବ୍ରହ୍ମଧ୍ୱନି ଓଁକାର ରୁ ॥॥॥

ଚିନ୍ତାରେ ଚେତନାରେ

ଭାବରେ ଭାବନାରେ

ସ୍ୱପ୍ନରେ ସମ୍ଭାବନାରେ

ହେବ କି ରୂପାନ୍ତରଣ

ଚଣ୍ଡାଶୋକରୁ ଧର୍ମାଶୋକର

ନା ନିକ୍ଷେପିତ ଶର ପରି

ଆଉ ନୁହେଁ ତୂଣୀରର !!!!!!!!!!!


Rate this content
Log in