STORYMIRROR

Geetanjali Prusty

Others

4  

Geetanjali Prusty

Others

ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

1 min
465


ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

ବର୍ଷା ଆସିଛି ଧୀରେ

ବଜାଇ ମାଦଳ ଭସାଇ ବାଦଲ

ଶୁଭ୍ର ନୀଳ ଅମ୍ବରରେ ।


ନଭ ନୀଳିମାର ନୟନ ଯୁଗଳୁ

ସତେକି ଝରୁଛି ଜଳ

ସିକ୍ତ କରୁଛି ବସୁମତୀ ମାତା

ସୁଶୀତଳ ଅନ୍ତଃ ସ୍ଥଳ ।


ଆସିଛି ବର୍ଷା ଆଦ୍ୟ ଆଷାଢ଼ରେ

ଗିରି, ବନ, ନଦୀ ନାଳେ

ବର୍ଷା ଆସିଛି ପୁଷ୍ପ ଵାଟିକାରେ

ଭିଜୁଛି ସ୍ନିଗ୍ଧ ଜଳେ ।


ବର୍ଷା ଜଳର ପହିଲି ପରଶେ

ମାଟିର ସୁଗନ୍ଧେ ହଜି

ପୁଲ୍ଲକେ ପୁଲ୍ଲକେ ପଲ୍ଲବିତ ହେଲେ

ପାଦପେ ପତ୍ର ରାଜି ।


ତପ୍ତ ଧରଣୀ ଉର୍ବରା ହେଲା

ହସିଲା ଶସ୍ୟ କ୍ଷେତ

ଧାନ୍ୟ ପତ୍ରରେ ଶୀତଳ ସମୀର

ହେଲା ଯହିଁ ପ୍ରବାହିତ ।


ରୌଦ୍ରର ଅନ୍ତେ ବର୍ଷା ଆସିଛି

ଅସହ୍ୟ ଯନ୍ତ୍ରଣା ପରେ

ଅଂଶୁଘାତରୁ ମୁକୁଳି ମଣିଷ

ହସୁଛି ତୃପ୍ତି ଭରେ ।


ବର୍ଷା ଆସିଛି ମଣ୍ଡୁକ ରଡ଼ିରେ

ଝିଙ୍କାରିର କଟୁ ସ୍ଵରେ

ସବୁଜ ବସ୍ତ୍ରରେ ହସୁଛି ଧରଣୀ

ଦୋଳୟିତ ସୁଷମାରେ ।


କ୍ରୀଡା ପ୍ରାନ୍ତରେ ଆସିଛି ବର୍ଷା

ଖେଳିବ ପିଲାଙ୍କ ସାଥେ

ଭସାଇ ଖୁସିରେ କାଗଜ ଡଙ୍ଗା

ଚାଲିବେ ସଜଳ ପଥେ ।


ଚାରୁ ଚନ୍ଦ୍ରୟିତ ଚକ୍ଷୁରେ ଚାତକ

ଚାହିଁଛି ଚକିତ ହୋଇ

ବୃଷ୍ଟି ଜଳରେ ମେଣ୍ଟାଇବ ତୃଷ୍ଣା

ମିଳନ ସଙ୍ଗୀତ ଗାଇ ।


ଗିରି ଶିଖରରେ ଶିଖି ନାଚୁଅଛି

ଦେଖି ମେଘ ଆଗମନ

ଖୁସିର ମୁହୂର୍ତ୍ତ କରୁଛି ସ୍ୱାଗତ

ଆସ ଆହେ ପ୍ରିୟ ଘନ ।


ଇନ୍ଦ୍ରଧନୁର ସପ୍ତ ରଙ୍ଗରେ

ରଙ୍ଗାୟିତ ହେବ ଧରା

ଚମକି ଚପଳା ବଜ୍ର ନିନାଦେ

ହେବ ପୁଣି ଆତ୍ମହରା ।


ଏମିତି ବରଷା ଝରି ପଡୁଅଛି

ପତ୍ର ଗହଳି ମାଳେ

ଝରି ବି ପଡୁଛି ଓଳିରୁ ଆମ୍ବୁଦ

ଝରୁଛି ନିର୍ଝର ଜଳେ ।


ବୃଷ୍ଟି ଜଳର ଧାରଟିଏ ଯେବେ

ଧରାପରେ ଯାଏ ବହି

ସପନ ବଣିକ ସ୍ମୃତି ସାଗରରେ

ଆସେ ମନ ତରୀ ବାହି ।


ନିୟୁତ ପ୍ରାଣର ପ୍ରୀତି ପ୍ରତିଶ୍ରୁତି

କଳ୍ପନା କଟାକ୍ଷ ରାଜି

ମଉସୁମୀ ଅବା କାଳ ବୈଶାଖୀରେ

ପଡୁଛିକି ସତେ ଭାଜି ।


ବର୍ଷା ଆଣିଛି ଦୈନ୍ୟତା କା'ର

ଭଗ୍ନ କୁଟୀର ଠାରେ

ଦୁଃଖୀ ନିଆଶ୍ରୀର ଚୁଲିରେ ପ୍ରବେଶି

କେବେ ପୁଣି ବ୍ୟଙ୍ଗ କରେ ।


ଏମିତି ବରଷା ଦୁଃଖ ସୁଖ ନେଇ

ଆସି ପୁଣି ଯାଉଥିବ

ଅପେକ୍ଷା ରେ ତାର ରହିବୁ ବରଷେ

ଆଗମନେ ଅନ୍ତ ହେବ ।



Rate this content
Log in