ଋଣଛାଡ(ପଲ୍ଲୀ କବିତା)
ଋଣଛାଡ(ପଲ୍ଲୀ କବିତା)
ଚୁଲି ମୁଣ୍ଡେ ବସି ପଫୁଲ ଭାରିଜା
କହିଲା "ହେଇଟି ଶୁଣ,
ହାତ ବାଲା ପରା କହିଲେଣି
ଛାଡ କରିଦବେ ଆମ ଋଣ।
ସବୁ ହପତାରେ ଦବାନେଇଁ ଆଉ
ଗ୍ରୁଉପୁବାଲା କିସ୍ତିଟା,
ତିନିପଇସିଆ ସୁଧ ଦେଇ ଦେଇ
ଭାଙ୍ଗି ପଡିଲାଣି ଅଣ୍ଟା।"
ପଫୁଲ କହିଲା "ମୁରୁଖ ମାଇପି
ବୁଝିଚୁ ତୁ ଛେନାଗୁଡ,
ବେଙ୍କରୁ ସିନା ଋଣ କରିଥିଲେ
ଟଙ୍କା ହେଇଥାନ୍ତା ଛାଡ।
ଜୀବ ଥିବାଯାଏ ଗଣୁଥିବା ଆମେ
ତିନିପଇସିଆ ଋଣ,
ଜୋକ ପରି ଆମ ରକତ ଏମିତି
ଶୋଷୁଥିବେ କେଇଜଣ।
ତା ଉପରକୁ ମହାଜନୀ ଋଣ,
ଉପରେ ବାତିଆ ବାଧା,
ତିତିଲି,ପେଥାଇ ଦିଏ ଚାଷୀ ବେକେ
ବାଇଶି ପଳିଆ ବିଧା।
କଣ୍ଠାରୁ ମରିଲା ଧାନ ତିତିଲିରେ
ଫୁଲ ଉଡିଲା ଆଗରୁ,
ପାଚିଲା ଧାନକୁ ଖାଇଲା ପେଥାଇ
ବରଷାମାଡ ବିଲରୁ।
ଋଣଛାଡ ଭୁଆଁ ନବୁଲେଇ ହେଲେ
ସରକାର ଆମଠାରୁ,
ଫସଲ ନିଅନ୍ତା ସହାୟକ ମୂଲ୍ୟ
ଦେଇ ଜମିର ମୁଣ୍ଡରୁ।
କୃଷିବିମା କରି ସହଜ ସରଳ
ଦିଅନ୍ତା କ୍ଷତିପୂରଣ,
ବିମାବାଲା ନିଜେ ପହଞ୍ଚି ଦୁଆରେ
କରନ୍ତେ କ୍ଷତି ଭରଣ।
ସବୁ ଚାଷୀପେଇଁ ପାଣିର ବେବସ୍ତା
କରନ୍ତା କି ସରକାର,
ବିହନ ମାଗେଣା ଦିଅନ୍ତା କି, ହେଲେ,
ଦିଅନ୍ତା ମାଗେଣା ସାର।
ଟ୍ରାକଟର ଖର୍ଚ୍ଚ,ରୋଗ ଅଉଷଧ
ମାଗଣାରେ ଦିଅନ୍ତା କି,
ପନିଆରୀ ହେଲେ ଅଧିକ,
ଶୀତଳ ଭଣ୍ଡାରେ ଦିଅନ୍ତା ରଖି।
ଏସବୁ ନକରି ଲଲିପପ ଧରି
ହଲେଇଲେ ମୁହଁ ପାଖେ,
ଥୋପ ତ ଗିଳିବୁ ହେଲେ,ପସ୍ତେଇବୂ
କଣ୍ଟା ଯେତେବେଳେ ଲାଖେ।
କେତେକାଳ ଏଇମିତି ସରକାର
କରୁଥିବେ ଋଣଛାଡ,
ମୂଳରୁ ନଚଢି ଡାଳରୁ ଚଢିବା
ଚେଷ୍ଟା କରିଥାନ୍ତି ମୂଢ।
