ଋଣ ପ୍ରତିଦାନ ସୁଧ
ଋଣ ପ୍ରତିଦାନ ସୁଧ
ଭୁଲିଛୁ ତୁ ଧନ ହିତାହିତ ଜ୍ଞାନ
ଅବିବେକୀ ହେଉ କାହିଁ
କରୁ ଅସମ୍ମାନ କାନ୍ଦେ ବାପା ପ୍ରାଣ
ସ୍ନେହ,ପ୍ରେମ ମନେ ନାହିଁ ।
ଯାହାର କୋଳରେ ଜନମ ଲଭିଲୁ
କୁଆଁ କୁଆଁ ଡାକ ଦେଇ
ଯାହା ହାତ ଧରି ଚାଲିବା ଶିଖିଲୁ
ତ୍ୟାଗ ଫଳ କିବା ଏହି ?
ନିଜେ କଷ୍ଟ ସହି ତୋର ସୁଖ ପାଇଁ
ଖାଦ୍ୟ ବସ୍ତ୍ର ତୋତେ ଦେଇ
ତୋ'ର ମୁଖେ ହସ ଫୁଟାଇଲା ସିଏ
ନିଜେ ଅଧା ପେଟ ରହି ।
ଶିକ୍ଷାଦୀକ୍ଷା ଦେଇ ଦୁନିଆ ଦାଣ୍ଡରେ
ତୋର ଭବିଷ୍ୟତ ଗଢି
ନିଜ ସପନକୁ ସମାଧି ଦେଲା ସେ
ଦୁଃଖ ଯାତନାରେ ସଢ଼ି ।
ଛାତିକୁ ପଥର ରକତକୁ ପାଣି
କରିଥିଲା ତୋର ପାଇଁ
ଅଲୋଡା ସାଜିଲା ବୃଦ୍ଧ ବୟସରେ
ହତାଦର କରୁ କାହିଁ ?
ଯାହା ହାତ ଧରି ବିଦ୍ୟାଳୟ ଯାଇ
ଅର୍ଜିଅଛୁ ତୁହି ନାମ
ଆଜି ତାହା ହାତ ଧରି ନେଇଯାଉ
ଛାଡିବାକୁ ବୃଦ୍ଧାଶ୍ରମ ।
ଛୋଟ ଥିଲୁ ଏବେ ହୋଇଛୁ ତୁ ବାପ
ନିଶ୍ଚେ ହେବୁ ଦିନେ ବୃଦ୍ଧ
ତୋର ପୁଅଝିଅ ଭରଣା କରିବେ
ଋଣ ପ୍ରତିଦାନ ସୁଧ ।
କରମର ଫଳ ନିଶ୍ଚୟ ଭୁଞ୍ଜିବୁ
ବୁଝିବୁ ତୁ ସେଇଦିନ
ସନ୍ତାନସନ୍ତତି ଅନାଦାର କଲେ
କେତେ କାନ୍ଦେ ବାପମନ ।