ରଙ୍ଗ ଭରିଦିଅ ନୂଆ ଉନ୍ମେଷେ
ରଙ୍ଗ ଭରିଦିଅ ନୂଆ ଉନ୍ମେଷେ
1 min
148
ଭାର୍ଗବୀ ବର୍ଣ୍ଣିଳ ସାଗରକନ୍ୟା ଗୋ
ଅଳ୍ପ ଇସାରାରେ
ଦେଖା ଦେଇ ସ୍ୱଳ୍ପ ସ୍ବପ୍ନ ସୁରରେ ।
ସ୍ମିତ ହସି ଦେଇ କଣେଇ କଣେଇ
ଚାଲିଗଲ ତୁମେ
ସୂକ୍ଷ୍ମ ନିକାଞ୍ଚନେ,ମୋ'ଠାରୁ ଦୂରେ ।
ଦୂରେ ସିନା ଗଲ, ଛାଡ଼ିଦେଇ ଗଲ
ତୁମରି ଓଠ ର
ସରୁଆ ଶୀତଳ, ଚହଟ ହସ ।
ତୁମରି ହସରେ ପୁରି ରହିଥିଲା
ମୋ'ବଞ୍ଚିବା ପାଇଁ
ପୁଳାଏ ସପନ,ଅଶ୍ରୁ ଅଜସ୍ର ।
ହସରେ ନଥିଲା କପଟ ପଣିଆ,
ମିଛ ବା ଛଳନା,
ଦୁର୍ବାର ଲାଳସା, ଅବା ବାହାନା ।
ତୁମ ହୃଦୟରେ, ନିଭୃତେ,ନୀରବେ
ରହିଥିଲା କିଛି
ବିବର୍ଣ୍ଣ,ଧୂସର ବଧୁ ବେଦନା ।
ବୁଝି ମୁଁ ପାରୁନି, ଜାଣି ବି ହେଉନି
କିପାଇଁ ନିଜକୁ
ନିର୍ମମ ନିଷ୍ଠୁର ଯାତନା ଦିଅ !
ସମାଜ ବର୍ବର, ବିଧାତା ନିଷ୍ଠୁର
ଭାବନାରେ କିମ୍ପା
ଭିନ୍ନ ଭାବାପନ୍ନ,ଭଙ୍ଗୁର ହୁଅ ?
ପରମ୍ପରା ଦ୍ୱାହୀ ଦିଅନା ବୈଦେହୀ
ତୃତୀୟ ଚକ୍ଷୁକୁ
କରନାହିଁ କେବେ ଉତ୍ତର ଦାୟୀ ।
ପରମ୍ପରା ନୁହେଁ ଯନ୍ତ୍ରଣା ଦେବାକୁ
ସୁରମ୍ୟ ଧାରା ସେ,
ଶିଷ୍ଟାଚାରିତାର ଶୃଙ୍ଖଳା ନେଇ ।
କୁହେନି କେବେ ସେ,ଡରିଡରି ତାକୁ
ଯନ୍ତ୍ରଣା ଦେବାକୁ
ନିଜ ଅଙ୍ଗ, ନିଜ ଅଭିଷ୍ଟ ଆତ୍ମା ।
ଯୁଗକୁ ଯୁଗକୁ ସମାଜରେ ରହି
ସମାଜ ପାଇଁକି
କାବ୍ୟଶ୍ରୀ କୌମୁଦୀ ତା'ରି ଗରୀମା ।
ଯେଉଁ ବେଳା ଭୂମି ଛାଡି ଚାଲିଗଲା
ତା'ପାଇଁ ତୁମରି
ପ୍ରାଣରେ ସ୍ବର୍ଗୀୟ ସମ୍ମାନ ଥାଉ ।
ଆଗରେ ତୁମକୁ ପବିତ୍ର ପ୍ରାନ୍ତର
ସ୍ୱାଗତ କରୁଛି
ପଛକୁ ଅନେଇ ଭାବ ନା' ଆଉ ।
ବସନ୍ତ ଅସରା ମଳୟ ନିଆରା
ଋତୁରେ ଋତୁରେ
ଚାଲିଯାଏ ସିନା,ଲେଉଟି ଆସେ ।
ବୈଦିକ ବୈଧବ୍ୟ ବିଧାତା ଚକ୍ଷୁରେ
ନୁହେଁ ଅପରାଧ
ରଙ୍ଗ ଭରିଦିଅ ନୂଆ ଉନ୍ମେଷେ ।
ବୃନ୍ଦାବତୀ ଦିନେ ବିଲଗ୍ନା ଲଗନେ
ପୁଣ୍ୟ ପ୍ଲାବନରେ
ପୁଣ୍ୟରେପୁଣ୍ୟରେ ତୁଳସୀ ହେଲେ ।
ମୋ' ଅର୍କ ଅଗଣା ଦେଉଛି ପ୍ରେରଣା
ମିଠା ଫଗୁଣର
ସିମନ୍ତିନୀ ରଙ୍ଗ ତୁମ କପାଳେ ।