STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ରଜ

ରଜ

1 min
211

ରଜ ସଜ ଆଜି ମଉଜ ନାହିଁ ଲୋ

ବଜାର ମଜାର ହେଳେ,

ଯାହା ଦେଖୁଥିଲେ ପୂରୁବ ଗୌରବ

ଆଉ ନ ଦେଖିବା ଡୋଳେ.

ଗଜ ହଜି ଅଛି ବନ ରାଇଜରୁ

ରଡି ବା ଛାଡିବ କାହିଁ,

ଦୋଳି ବାନ୍ଧିବାକୁ ଦଉଡି ତ ନାହିଁ

ଗଛ କଥା ପଛେ କହି.

ଶୁଖିଲା ହଳଦୀ କାଠୁଆ ପଡିଛି

ବୋତଲ ଅଳତା ମଖା, 

ଘର ପୋଡ଼ପିଠା ସୁଆଦ ନାହିଁ ଲୋ

ବଜାର ବିରିୟାନୀ ଚଖା.

ପାନ ଖିଲ ହେଲା ପାଞ୍ଚଟଙ୍କା ଏଠି

ପୁଡିଆ ସୁଆଦ ଭାରି,

ସାଙ୍ଗ ସାଥି ଯେତେ ଦୁରେଇ ରୁହନ୍ତୁ

ଚାଟିଂ କରୁଥିଲେ ସରି.

ନୀତି ନିୟମ ତ ଚୁଲିକୁ ଯାଉଲୋ

କାନ୍ଧରେ ପକାଇ ହାତ,

ଝିଅ ପୁଅ ମିଶି ପାର୍କ ପରିସରରେ

"ବାପା" "ମା"ଙ୍କୁ ସୁଙ୍ଘାଇ ଗଦ.

ଘୁରି ବୁଲୁଥିବେ ବାଇକ୍ ପଛେ ବସି

ପଟି ବାନ୍ଧି ଦେଇ ମୁହେଁ,

ମଥା ପୋତିଦେଇ ଗତିକୁ ବଢାଇ

ଚିହ୍ନି ପାରିବ ବା କିଏ.

ଦୋଳି ପରେ ବସି ଗୀତ ଗାଇବାଟା

ନାହିଁ ଆଉ ଏତେବେଳେ,

ଇୟର ଫୋନରେ ଫିୟର ନଥାଇ

କ୍ଲିୟର ରେ ଗପିଚାଲେ.

ପୁରାଣ ଦେବତା ପୁରୁଣା ପୋଥି ଏ

ନୁଆଁ ଆଣ୍ଡ୍ରଏଡ଼ ହାତେ,

ପବିତ୍ରତା ବୋଲି ପଛରେ ପଡିଲା

ସଂସ୍କାରବାଦର ସାଥେ.

କୁଆଁରୀ ମେଳଣ ବାରି ଗଛଡ଼ାଳ

ବର ଓହଳ ର ଦୋଳି,

କାଚ କଉଡ଼ିରେ ବୋହୁଚୋରି ଖେଳେ

କୁମାର ଟୋକାଙ୍କ ହୁରି.

ନାହିଁ ପାନ ଦିଆ ପୋଡ଼ପିଠା ଖିଆ

ହଜିଛି ରଜର ଶୀରି,

ଉଚ୍ଚ ଶିକ୍ଷା ଆଉ ନୂତନ ସଂସ୍କାର

ସବୁ ଦେଇଅଛି ଚିରି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍