ରଜ ଯେବେ ଆସେ
ରଜ ଯେବେ ଆସେ
ସ୍ପନ୍ଦିତ ହୁଏ ହୃଦୟଟା
ଏକ ଅଜଣା ପୁଲକରେ
ରଜ ଯେବେ ଆସେ,
ସମ୍ଭାରର ପଟୁଆର ନେଇ
ଶୀତଳତା ଛୁଆଁ ଦେଇ
ଟୋପି ଟୋପି ବର୍ଷାର
ରିମ୍ ଝିମ୍ ସ୍ବରରେ
ନିଦାଘର ଶେଷେ ।।
ରୋମାଞ୍ଚିତ ଧରିତ୍ରୀ
ଯୌବନର ଉତ୍ଫୁଲ୍ଲ ପଣରେ
ଲାଜେ ଲାଜେ ହସେ
ମଥାନତ କରେ ସିଏ
ଅଙ୍ଗେ ଅଙ୍ଗେ ସୁନ୍ଦରତା
ଚମକ ଖେଳାଏ
ଭିଜିବ ସେ ପ୍ରିୟର ବର୍ଷାରେ
ଅନ୍ତ ହୁଏ ଅପେକ୍ଷା ତା
ଆସିବ ସେ ପାଶେ ।।
ରଙ୍ଗ ବୋଳି ହୋଇଯାଏ
କୁଆଁରୀ ତନୁରେ
ସ୍ବପ୍ନ ଭରିଯାଏ
ତାର ନହୁଲି ଆଖିରେ
ପାଉଁଜିର ଛମ୍ ଛମ୍ ସ୍ବରେ
ନାଚିଉଠେ, ଗାଇଉଠେ
କଦମ୍ବର ବିଭୋର ବାସ୍ନାରେ ।।
ରଜ ଆସେ
ଆବେଗର କ୍ଷେତରେ
ଚାଷୀ ଭାଇ
ବିଶ୍ବାସର ମଞ୍ଜିଟିଏ ପୋତିଦିଏ
ଆଶାଢର ସ୍ନିଗ୍ଧ ବାରିଧାରା
ଆଙ୍କିଦିଏ ଆଶାର ଫସଲ
ନୂତନ ରଙ୍ଗ ଓ ତୂଳୀରେ ।।
ମଲ୍ଲୀ ଫୁଲ
ମେଖଳା ମେଲାଏ
ଆଖିରେ କଜ୍ବଳ ନାଇ
କୁଳ ବଧୁ ଚୁପି ଚୁପି ହସୁଥାଏ
ବାଙ୍କ ଚାହାଣୀରେ
ରଜ ଆସି କାନେ ତାର କହିଦିଏ
ପ୍ରିୟ ଯେ ଆସିବ ଘର
ପାଦରେ ଅଳତା ଲଗାଇ
ସଜେଇ ହେଇଯା ତୁ
ମଥା ସିନ୍ଦୁରରେ ।।
ବାଡିଠୁ ଘର ଅଗଣା
ଉଠ୍ ପଡ ହୁଏ
ପୋଡ ପିଠା, ଆରିସାର ବାସ୍ନା
ବିମୋହିତ କରେ
ତାସହ ଆମ୍ବ ଓ ପଣସର
ପିତାମ୍ବରୀ ଖୁସା
ସ୍ବର ତୋଳୁଥାଏ ।।
ଖାଇ ଦୋଳି ଖେଳ
ସାଙ୍ଗ ସାଥୀ ମେଳ
ଭାସିଆସେ ମଧୁର ମୂର୍ଚ୍ଛନା...
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ..
ଖାଇ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ.....
ଆଃ.. ସତେ କେତେ ପ୍ରାଣ ଛୁଆଁ।।
ବୁଢୀମାର ହାତ ଭଙ୍ଗା ଖିଲି ପାନ
ପାଟି ଓଠ ଦିଶୁଥାଏ ରଙ୍ଗୀନ ରଙ୍ଗୀନ
ତା ସହ ରଙ୍ଗୀନ ହୋଇଯାଏ
ଦେହ ଆଉ ମନ
ମେଳା ମେଳା ତାସ୍ ପଶା
ଖେଳର ମେଲଣ
ଖୁସି ମଜା ଘରଣୀଙ୍କ ଆସର
ରଜ ଭରୁଥାଏ
ନାହିଁ ନାହିଁର ଦୁନିଆ ଭିତରେ ବି
ଖୁବ୍ ଜୀବନ ।।
ଆମ ସଂସ୍କୃତିର ଏ ପୂଣ୍ୟ ନିଦର୍ଶନ
ବରଷକ ଅପେକ୍ଷାର ହେଉଥାଏ ପୂର୍ଣ୍ଣ
ଜ୍ଯେଷ୍ଠ ଓ ଆଶାଢର ଏକତ୍ର ମିଳନ
ଆରମ୍ଭ ପାଣିବୁହା ଶେଷ ଭୂଇଁରଣ
ରଜ ପୁଣି ଫେରିବାକୁ
ଭିଡୁଥାଏ ପାଗ
ହେଲେ ହୃଦୟରେ ଗୁଞ୍ଜରିତ
ହେଉଥାଏ ବାରମ୍ବାର
ସେଇ ପୂଣ୍ୟ ଉଚ୍ଚାରଣ ।
