ରଜ ପର୍ବ
ରଜ ପର୍ବ
କୃଷିର ପରବ
ଓଡ଼ିଶାରେ ଶ୍ରେଷ୍ଠ
ମାଟି ମାଆ ଗାଥା ଗାଏ
ରଜ ସଜବାଜ
ମଉଜ ସଉକ
ଘରେ ଘରେ ହୋଇଥାଏ ।
ନିଦାଘର ଅନ୍ତେ
ରଜସ୍ଵଳା ହୁଏ
କୁଆଁରୀ ହୋଇଛି ମାଟି
ବରଷା ରାଣୀର
ଆଗମନ ଦେଖି
ଚଷାଭାଇ ହୁଏ ଖୁସି ।
ଓଡ଼ିଶା ମାଟିରେ
ରଜ ଚାରି ଦିନ
ପୁର ପଲ୍ଲୀରେ ଚମକ
ପହିଲି ରଜଟି
ସଜବାଜ ରଜ
ପୋଡପିଠାର ମହକ ।
ଝିଅ ବୋହୂମାନେ
ସଜେଇ ହୁଅନ୍ତି
ନୂଆ ବସ୍ତ୍ର ପରିଧାନ
ନୂଆ ଶଙ୍ଖା ଚୁଡି
ପାଉଁଜି କଙ୍କଣ
ପିନ୍ଧନ୍ତି କେତେ ସୁବର୍ଣ୍ଣ ।
ଟିପି ଚନ୍ଦନରେ
ମଥାକୁ ସଜାନ୍ତି
ପାଦରେ ଅଳତା ଗାର
ମୁଣ୍ଡରେ ଖୋସନ୍ତି
ସଜଫୁଲଟିଏ
ଦେହରେ ମାଖି ଅତର ।
ରଜ ଦୋଳି ଗୀତ
ଭାସି ଆସୁଥାଏ
ପବନ ସୁଅ ତରଙ୍ଗେ
କୁଆଁରୀ ବୟସେ
ଝିଅ ଦୋଳି ଖେଳେ
ଗାଉଥାନ୍ତି ମିଶି ସଙ୍ଗେ ।
ଦ୍ୱିତୀୟ ଦିନଟି
ରଜ ସଂକ୍ରାନ୍ତି
ତୃତୀୟେ ଭୂମି ଦହନ
ଚତୁର୍ଥ ଦିନଟି
ବସୁମତୀ ସ୍ନାନ
ହୁଏ ବନ୍ଦାପନା ମାନ ।
ରଜ ଖିଲି ପାନେ
ଭାବ ଦିଆନିଆ
ସମ୍ପର୍କର ନୂଆ ଡୋରି
ଫୁଲେଇ ହୋଇଣ
ଘରେ ଘରେ ବୁଲେ
ପାଦ ରୁଣୁଝୁଣୁ କରି ।
ନିଷିଦ୍ଧ ରହିଛି
କୃଷି କାର୍ଯ୍ୟ ସହ
ଘରରେ ମସଲା ବଟା
ଢିଙ୍କି ହେମଦସ୍ତା
ଘୋରଣା ଶିଳରେ
ହୁଏ ନାହିଁ ଛେଚା କୁଟା ।
ପୁଚି କଉଡିରେ
ଗାଆଁ ଫାଟି ଉଠେ
ଖେଳନ୍ତି ସର୍ବେ ହରଷେ
ଭାତ ମାଂସ ଭୋଜି
ଆମ୍ବ ପଣସରେ
ଘର ଦ୍ୱାର ସବୁ ବାସେ ।
ବ୍ରହ୍ମଗିରି ଠାରେ
ବାଲି ହରଚଣ୍ଡୀ
ଶକ୍ତି ପୀଠ ଯେ ପ୍ରସିଦ୍ଧ
ରଜର ସମସ୍ତ
ବିଧିବିଧାନ ତ
ମାଆଙ୍କର ରଜଯାତ ।
ସଂସ୍କୃତିର ପର୍ବ
ମହାମିଳନର
ପ୍ରକୃତିର ବାର୍ତ୍ତାବହ
ବର୍ଷା ଆଗମନେ
ସ୍ୱାଗତ ଉତ୍ସବ
ନୂଆ ସମ୍ଭାବନା ସହ ।
