ରଜ ମଉଜ
ରଜ ମଉଜ


କୃଷି ପ୍ରଧାନ ଏ ଓଡିଶା ପ୍ରଦେଶ
ବର୍ଷସାରା କୃଷକ କରଇ ଚାଷ
ଧରା ବର୍ଷଣ କଲେ ଆତ୍ମପ୍ରକାଶ
କୃଷି କାର୍ଯ୍ୟରୁ ସେ ନିଏ ଅବକାଶ
କଜ୍ଜଳ ଲୋଚନା ବର୍ଷା ଆଗମନ
ଶାନ୍ତ ସଲୀଳର ଧାରା ପ୍ରବାହନ
ଦୂର କରେ ନିଦାଘର ନିପିଡନ
ପୁଲକିତ ହୁଅଇ ଅବନୀ ମନ
ନିଃଶେଷ ହୋଇଲେ ଜଗତର କ୍ଲେଶ
ତାପକ୍ଲିଷ୍ଟା ଧରାକୁ ମିଳେ ଆଶ୍ବାସ
ପାଇ ଆଷାଢ଼ର ପହଲି ପରସ
ଧୂସର ଧରଣୀ ହୁଅଇ ରଜସ୍
କଲ୍ୟାଣମୟୀ ରୂପରେ ଆର୍ବିଭୂତା
ପୂର୍ଣ୍ଣ ଯୌବନ ପ୍ରାପ୍ତ ଧରିତ୍ରୀ ମାତା
ନୂତନ ସୃଜନ ସ୍ବପ୍ନେ ଅଭିଭୂତା
ହୁଅଇ ଶ୍ୟାମଳ ଶୋଭାରେ ମଣ୍ତିତା
ଜ୍ୟେଷ୍ଠ ଶେଷ ଆଷାଢର ଦୁଇଦିନ
ରଜ ଉତ୍ସବକୁ କରନ୍ତି ପାଳନ
ପହିଲି ରଜ ଠାରୁ ଭୂମି ଦହନ
ଆମୋଦ ପ୍ରମୋଦରେ ବିତାନ୍ତି ଦିନ
ଆସଲୋ ସଙ୍ଗାତ ଆସ ମୋ ଭାଉଜ
ମିଳିମିଶି ଆମେରେ ପାଳିବା ରଜ
ଅଳତା କୁଙ୍କୁମେ ହୋଇ ସଜବାଜ
ଉଲ୍ଲସିତ ମନେ କରିବା ମଉଜ
କରିବା ନବବସ୍ତ୍ର କୁ ପରିଧାନ
ଗୁଆ ପାଟୁକାକୁ ପାଦୁକା ସମାନ
ପୋଡପିଠା ତାମ୍ବୁଳ କରି ବଣ୍ଟନ
ସଭିଙ୍କୁ ବାନ୍ଧିବା ମୈତ୍ରୀର ବନ୍ଧନ
କ୍ରୀଡା କୌତୁକ ନାଚଗୀତ ଆସର
ବନ୍ଧୁ ଗହଣରେ ପୁରି ଉଠେ ଘର
କର୍ମ ଜଞ୍ଜାଳରୁ ମିଳେ ଅବସର
ଜୀବନଟା ହୁଏ ଉତ୍ସବ ମୁଖର
ବାଳିକା ସକଳ ହୋଇ ଏକତ୍ରିତ
ଦୋଳିରେ ଝୁଲି ହୁଅନ୍ତି ଉଲ୍ଲସିତ
ସୁଲଳିତ କଣ୍ଠେ ତାଙ୍କ ରଜଗୀତ
ଗ୍ରାମ୍ୟ ପରିବେଶକୁ କରେ ମୁଖରିତ
ଶାନ୍ତି,ସୌହାର୍ଦ୍ଦ୍ଯର ପର୍ବ ଏ ଅଟଇ
ଏକତା ଡୋରୀରେ ସଭିଙ୍କୁ ବାନ୍ଧଇ
ଧରାଧାମକୁ ଏହା ଯେବେ ଆସଇ
ମୌସୁମୀ ମୃତ୍ତିକା ମିଳନ ଘଟଇ