ରହିଛି ରହିବ ହୃଦୟେ ତା' ସ୍ଥାନ
ରହିଛି ରହିବ ହୃଦୟେ ତା' ସ୍ଥାନ
ଭୁଲିକି ପାରିବି ମୋ'ଗାଆଁ ମାଟିକୁ
ଯୋଉଠି ଅଛି ମୋ ଷଠିଘର
ଏନ୍ତୁଡିଶାଳର ପ୍ରଥମ ପରଶେ
ମାଆ ଆଖିର ସେ ଖୁସିଧାର ।
ଯୋ ମାଟି କୋଳରେ ଚାଲି ଶିଖିଅଛି
ଧରିକି ତାର ପଣତ ଧାର
କେମିତି ଭୁଲିବି ସେ ଜନମ ମାଟି
ଦେହେ ଥିଲାଯାଏ ଜୀବଧାର ।
ତା କୋଳର ସେଇ ଚାଟଶାଳୀ ଘରେ
ପାଇଛି ମିଠା ଭାଷାର ଗନ୍ଧ
କେମିତି ଭୁଲିବି ତା ଝୁଲଣା ଝୁଲାକୁ
ବର ଓହଳ ସେ ନଦୀବନ୍ଧ ।
କେତେ ଖେଳ-କୁଦ ତା ଛାତି ଉପରେ
କେବେ କରିନି ରାଗକି ରୋଷ
କେମିତି ଭୁଲିବି ତା ଛାତି ଯନ୍ତ୍ରଣା
କଷ୍ଟ ସହିଛି ବରଷ-ମାସ ।
କେତେ ଯାନି-ଯାତ୍ରା ମେଳା ମଉଛବେ
ତା'କୋଳେ ଧରି ଦେଇଛି ସୁଖ
କେମିତି ଭୁଲିବି ସେ ସୁଖଦ ଦିନ
ସ୍ମୃତିରେ ଆସେ ସେଇ ଝଲକ ।
ରହିଛି ରହିବ ହୃଦୟେ ତା ସ୍ଥାନ
ତା କୋଳେ ଜୀବ ଶୋଇବା ଯାଏଁ
ସୁଝି ନ ହୋଇବ ତା ପ୍ରେମ ମୂଲକୁ
ଅବଶିଷ୍ଟ ପ୍ରାଣ ଥିଲାଯାଏ ।
ଶେଷ ନିଦ୍ରା ଯଦି ତାହାରି କୋଳରେ
ତାହାହିଁ ହେବ ସୌଭାଗ୍ଯ ମୋର
ତା କୋଳେ ମିଶିବ ଚିତା ଭସ୍ମ ମୋର
ଲଭିବ ପ୍ରାଣ ବୈକୁଣ୍ଠ ପୁର ।