ରେଳ ଉପରେ ପ୍ରଭାତୀ ଛବି
ରେଳ ଉପରେ ପ୍ରଭାତୀ ଛବି
ରହ ରହ କ୍ଷଣେ ବାଷ୍ପୀୟ ଶକଟ,
ଦେଖିବି ପ୍ରଭାତ ମନରେ ଉଚ୍ଚାଟ. ୦
ଅର୍ଦ୍ଧ ନାରୀଶ୍ୱର ନଭ ଶୋଭା ରାଶି,
ଘୁଞ୍ଚଇ ଅନ୍ଧାର ଆଲୋକ ଉଦ୍ଭାସି. ୧
ଦ୍ଵୀଜ ଚଳିଲେଣି ବାରୁଣୀ ତୁଠରେ,
ଦ୍ଵୀଜ କୋଳାହଳ ଶୁଭଇ ପ୍ରଖରେ. ୨
ପ୍ରାଚ଼ୀ ତୁଠେ ଦେଖ ରଙ୍ଗିମା ରାଜିତ,
ରବି ଛବି ଶୋଭା ଭାରି ବିକଶିତ. ୩
ଶୁଖି ଆସିଲାଣି ଶୁକ୍ରାଚାର୍ଯ୍ୟ ଜ୍ୟୋତି,
ପ୍ରକାଶିତ ପ୍ରଭା ଦିନକର କାନ୍ତି. ୪
ଶିବାଳୟୁ ଶୁଭେ ଶମ୍ୱୁ ନାଦ ସ୍ୱର,
ଧରା ପରେ ଭରା ପ୍ରଭାତୀ କାକର. ୫
ଦୁର ମନ୍ଦିରରେ ମଙ୍ଗଳ ଆରତୀ,
ତରତର ଜନ ମାନସର ମତି. ୬
ମୁହଁ ଧୋଇ ଦ୍ଵିଜ ଅପସ୍ନାନ ଜଳେ,
ଦ୍ଵିଜବର ହତେ ପକାନ୍ତି ସକଳେ. ୭
କୁକ୍କୁଟ ରଟଇ ଉଚ୍ଚାଟ ମନରେ,
କୁମ୍ଭାଟୁଆ ଲୁଚେ ଦିବସ କାତରେ. ୮
ଚନ୍ଦ୍ର ହତେ ଗଙ୍ଗଶିଉଳୀ ଦୁଃଖରେ,
ସଙ୍ଗ ହୀନା ସାଜି ଲୋଟଇ ଭୂତଳେ. ୯
ରଜନୀଗନ୍ଧାର ହଜିଲାଣି ବାସ,
ବସିଲେଣି ଚାଳେ ଆସି ଦୁରାଭାଷ. ୧୦
ପୂରୁବ ଆକାଶେ ରାଜି ରବି ଛବି,
ଶୋଭା ଧ୍ୟାନ ରତା ସତେକି ବୈଷ୍ଣବୀ. ୧୧
ପୂରୁବା ସୁନ୍ଦରୀ ମଥାରେ ସିନ୍ଦୁର,
ରବିଙ୍କ ଉଦୟେ ଦିଶେ ମନୋହର. ୧୨
କଳରବେ ଧରା ହେଉଛି ମୁଖର,
ସୁଖନିଦ୍ରା ତେଜି ଜନତା ଚଞ୍ଚଳ. ୧୩
ମନ୍ଦ ମନ୍ଦ ବହେ ପଶ୍ଚିମା ପବନ,
ତରୁ ଡ଼ାଳେ ପତ୍ରେ ହ୍ବନ୍ତି କମ୍ପମାନ. ୧୪
ଦୁବଘାସ ଦେହେ କାକରର ବୁନ୍ଦା,
ମୁକୁତା ମାଳ କି ହୋଇଅଛି ଗୁନ୍ଥା. ୧୫
ଚତୁଷ୍ପଦ ଯେତେ ଉଲ୍ଲସିତ ମନେ,
ଖୋଜିଲେ ନିଜର ଶିଶୁ ସ୍ତନ୍ଯପାନ. ୧୬
ଗୋ ଗୋଷ୍ଠେ ଗୋପାଳ ଖେତକୁ କୃଷକ,
ନିଜ ନିଜ କର୍ମେ ଆଗୁସାର ଦେଖ. ୧୭
ଭାସି ଆସେ ତେଜ ତପନ ପ୍ରଖର,
କର୍ମ ସାଧନାରେ ସର୍ବେ ଆଗୁସାର. ୧୮
