STORYMIRROR

Sujata Mohapatra

Others

5.0  

Sujata Mohapatra

Others

ରାତ୍ରି ଗୋ

ରାତ୍ରି ଗୋ

1 min
22.6K




ରାତ୍ରି ଗୋ ତୁମ ନିକାଞ୍ଚ କୁଞ୍ଜ ରେ

ରାଧା ଖୋଜେ କୃଷ୍ଣ ପ୍ରାଣ

ରାତ୍ରି ଗୋ ତୁମ ନିଶବ୍ଦ ଗୁଞ୍ଜରେ

ଆନମନା ହୁଏ ମନ

ରାତ୍ରି ଗୋ ତୁମ ନିବିଡ଼ ଆଶ୍ଲେଷେ

ମତୁଆଲା ଯଉବନ

ରାତ୍ରି ଗୋ ତୁମ ମଧୁର ପରଷେ

ଶିହରିତ ତନୁ ମନ

ରାତ୍ରି ଗୋ ତୁମ ନିଶବ୍ଦ ଝଙ୍କାରେ

ବୀଣା ରଚେ ପ୍ରୀତି ଗୀତି

ରାତ୍ରି ଗୋ ତୁମେ କୁଆଁରୀ ମନର

ଆଦ୍ୟ ଯଉବନ ପ୍ରୀତି


ରାତ୍ରି ଗୋ ତୁମେ ଚିର ଆକାଂକ୍ଷିତା

ପ୍ରେମିକାର ମୂକ ସାକ୍ଷୀ

ରାତ୍ରି ଗୋ ତୁମେ ଚିର ଅପେକ୍ଷିତା

ଅନୁଢ଼ା ରୂପସୀ ଆଖି

ରାତ୍ରି ଗୋ ତୁମେ ଅନିନ୍ଦ୍ୟ ସୁନ୍ଦରୀ

ଜହ୍ନ ତାରାଙ୍କ ମେଳେ

ରାତ୍ରି ଗୋ ତୁମେ ବାସ୍ନା ମତୁଆଲା

ଜୁଈ ଯାଈ ହେନା ମେଳେ

ରାତ୍ରି ଗୋ ତୁମେ ପଲ୍ଲୀ ବଧୂର

ଅଭିମାନ ଭରା ହର୍ଷ

ରାତ୍ରି ଗୋ ତୁମେ ପ୍ରିୟ ପୁରୁଷର

ଆକାଂକ୍ଷିତ ସେହି ସ୍ପର୍ଶ


ରାତ୍ରି ଗୋ ତୁମେ ଚିର ଇପ୍ସିତ

ଜୀବନ ଯମୁନା ସୁଅ

ରାତ୍ରି ଗୋ ତୁମେ ମୂକ ସାକ୍ଷୀ

ମୋର ପାପ ପୁଣ୍ୟ ଦୁଃଖ କୋହ

ରାତ୍ରି ଗୋ ତୁମ ପଣତ କାନିରେ

ଲୁକ୍କାୟିତ କେତେ ଗାଥା

ରାତ୍ରି ଗୋ ତୁମ ଅନନ୍ତ ଛାତିରେ

ଅସୁମାରୀ କେତେ ବ୍ୟଥା

ରାତ୍ରି ଗୋ ତୁମେ ଦୂର ଆକାଶର

ସ୍ୱପ୍ନର ପରିଭାଷା

ରାତ୍ରି ଗୋ ତୁମେ ମିଳନପିୟାସୀ ପ୍ରେମିକା ଆଖିର

ଦିବାନିଶି ଅଙ୍କାକଷା


ରାତ୍ରି ଗୋ ତୁମେ ଚିର ଇପ୍ସିତା

କବିତା ର ସବୁ ଶବ୍ଦ

ରାତ୍ରି ଗୋ ତୁମ ସ୍ପର୍ଶ ମାତ୍ରକେ

ଝରେ କଲମରୁ ବେଦ

ରାତ୍ରି ଗୋ ତୁମ ଆଲିଙ୍ଗନ ତ

ନିଜଠୁ ବି ପ୍ରିୟ ଅତି

ରାତ୍ରି ଗୋ ତୁମେ ଜୀବନ ଗାଥାର

ପ୍ରୀତିମୟ ଛନ୍ଦ ଗୀତି....


ରାତ୍ରି ଗୋ ତୁମେ ପ୍ରୀତି ଫଗୁଣର

ମତୁଆଲା ଜହ୍ନ ରାତି

ରାତ୍ରି ଗୋ ତୁମେ ଚୋରା ଚଇତିର

ମନ୍ଦ ମଧୁର ତାତି

ରାତ୍ରି ଗୋ ତୁମେ ଧାରା ଶ୍ରାବଣର

ଅବିରତ ବାରି ଧାରା

ରାତ୍ରି ଗୋ ତୁମେ ଝରା ସେଫାଳିର

ଗନ୍ଧ ଯେ ମଧୁଝରା

ରାତ୍ରି ଗୋ ତୁମେ ଜ୍ୟୋସ୍ନା ବିଧୌତ

ବାସରର ମଧୁ ରାତି

ରାତ୍ରି ଗୋ ତୁମେ କୁଆଁରି ମନର

ଅଲିଭା ପ୍ରଥମ ପ୍ରୀତି


ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍