ରାମ ନାମେ କି ରସ ଅଛି
ରାମ ନାମେ କି ରସ ଅଛି
'ରାମ'ରୁ 'ର'ରେ ରକ୍ଷା
'ମ'ରେ ମହୀମଣ୍ଡଳ,
ମହୀମଣ୍ଡଳେ ରକ୍ଷା
ପାଇବାର ଯେ ବଳ।
'ନାମ'ରୁ 'ନ'ନମ୍ରତା
'ମ'ରେ ତ ମାଧୁର୍ଯ୍ୟତା,
ରାମ ନାମରୁ ମିଳେ
ଅପୂର୍ବ ସାର୍ଥକତା।
ଭରସା ବିଶ୍ଵାସର
ଏକ ପବିତ୍ର ଶବ୍ଦ,
ମନେ ପ୍ରାଣେ ହୃଦୟେ
ଭରିଦିଏ ଆନନ୍ଦ।
ମହୀମା ଯେ ଅନନ୍ତ
ଯଶ କୀର୍ତ୍ତି ଅକ୍ଷୟ,
ଶ୍ରବଣେ ଉଚ୍ଚାରଣେ
ଭକ୍ତ ହୁଏ ତନ୍ମୟ।
ରାମ ନାମ ହିଁ ସତ୍ୟ
ଅନାଦି ଅବିନାଶୀ,
ଶାଶ୍ବତ ପରଂବ୍ରହ୍ମ
ବିଶ୍ଵମୟ ଯଶସ୍ୱୀ।
ଜୀବର ପରମ ହେ
ସଚ୍ଚିଦାନନ୍ଦ ରୂପୀ,
ସତ୍ୟ-ଶିବ-ସୁନ୍ଦର
ବ୍ରହ୍ମାଣ୍ଡେ ସର୍ବବ୍ୟାପୀ।
ଅଶେଷ ଅସରନ୍ତି
ଶକ୍ତି ବର୍ଣ୍ଣନାତୀତ,
ସଚରାଚର ପ୍ରାଣୀ
ପାଦତଳେ ଆଶ୍ରିତ।
ସେ ନାମ ଜପି ଜପି
ପତିତ ପାଏ ମୋକ୍ଷ,
ଜୀବନ ରଥ ପଥ
ଗତିର ଏକ ଲକ୍ଷ୍ୟ।
ଦସ୍ୟୁ ଯେ ରତ୍ନାକର
ରାମ ନାମକୁ ଜପି,
ବାଲ୍ମିକୀ ମହାଋଷି
ହୋଇଲେ ଶ୍ରେଷ୍ଠ ତପି।
ରଚ଼ିଲେ ରାମାୟଣ
ସେ ଜ୍ୟୋତିକୁ ପ୍ରକାଶି,
ଲୋକ ଲୋଚନେ ଆଣି
ଜ୍ଞାନ ଦେଲେ ବିକାଶି।
କଥାବସ୍ତୁରେ ତାର
ଭାବ ଭକ୍ତି ଅସୀମ,
ସଂସାରୀ ଏ ଜୀବନେ
ମୁଖ୍ୟ ଅଟେ କରମ।
ପିତୃ ସତ୍ୟ ପାଳନେ
ସେବା ତ୍ୟାଗ ଆଦର୍ଶ,
ବ୍ୟକ୍ତିର ଜୀବନକୁ
ନେଇ ପାରଇ ଶୀର୍ଷ।
ଭାତୃପ୍ରେମ ଅନନ୍ୟ
ଭାବର ସମନ୍ଵୟ,
ଏକ ମନ ପ୍ରାଣରେ
ଜଗତେ ଅଦ୍ୱିତୀୟ।
ଆଦର୍ଶ ପତିପତ୍ନୀ
ଏକ ଅଙ୍ଗରେ ବେନି,
ସମସ୍ୟା ସମାଧାନେ
ନ ଥାଏ କିଛି ଗ୍ଳାନି।
ମର୍ଯ୍ୟାଦା ସୁପୁରୁଷ
ଚରିତ୍ର ନିଷ୍କଳଙ୍କ,
ସ୍ୱଭାବେ ନିରପେକ୍ଷ
କମନୀୟ ଶଶାଙ୍କ।
ପ୍ରଜା ଅନୁରଞ୍ଜନେ
ନିଜସ୍ୱ ସ୍ୱାର୍ଥ ତ୍ୟାଗ,
ସମୂହ କଲ୍ୟାଣରେ
ସଶ୍ରଦ୍ଧା ଅନୁରାଗ।
ରାମ ନାମ ଅମୃତ
ସମ ଦିଅଇ ତୃପ୍ତି,
କାୟ ମନ ବାକ୍ୟରେ
ପବିତ୍ରତାର ବ୍ୟାପ୍ତି।
ଗୁଣ କୀର୍ତ୍ତନେ ତାର
ଚିତ୍ତ ଚୈତନ୍ୟ ଶୁଦ୍ଧି,
ଆୟୁ ଆରୋଗ୍ୟ ଲଭି
ସମୃଦ୍ଧି ହୁଏ ବୃଦ୍ଧି।
ରାମ ନାମେ କି ରସ
ପରିପୂର୍ଣ୍ଣ ରହିଛି,
ପାନ କଲା ଲୋକଟି
ଅନୁଭବେ ଜାଣିଛି।
