ରାଜପଥ
ରାଜପଥ
ରାଜପଥ ..... ରାଜପଥ... ରାଜପଥ
କରି ତୁହି ମଥାନତ
ନାନା କାହାଣୀକୁ ସାଇତିଛୁ ହୃଦେ
ରହିଛୁ ଅବିଚଳିତ।....୧
ଅସରନ୍ତି ତୋର ଦୀର୍ଘ ପଥ ପରେ
ନାହିଁ ଉଚ୍ଚ ନୀଚ୍ଚ ଭେଦ
ଧନୀ ମାନୀ ଦୁଃଖୀ ସର୍ବେ ତୋ ଆଶ୍ରିତ
ପଥିକେ ନାହିଁ ତୋ ବାଦ।....୨
ସେଇ ପଥ ପରେ ହସର ଆସରା
ଲୁହର ପସରା କେତେ
ମୁକସାକ୍ଷୀ ପ୍ରାୟ ସବୁ ତୁ ଦେଖୁଛୁ
ସହୁଛୁ ହୃଦୟେ ଯେତେ।....୩
କେବେ ପ୍ରେମ ପ୍ରଣୟର ମହାଗୀତି
ନବ ବର-ବଧୂ ରୂପେ
ରୋଷଣୀ ମାଳରେ ହସି ନାଚି ଉଠେ
ତୋ ଦେହେ ଖୁସି ଅମାପେ।.....୪
କେବେ ଲକ୍ଷ୍ୟପଥେ ପହଞ୍ଚାଇ କା'ରେ
ଅମୁଲ୍ୟ ସମ୍ପଦ ଦେଉ
କେବେ କର୍ମଭୂମି କେବେ ମରୁଭୂମି
କେବେ ତୁ ଶ୍ମଶାନ ନେଉ।.....୫
କେବେ ତୁ ମନ୍ଦିର କେବେ ବୈଦ୍ୟପୁ୍ର
କେବେ ଦିଗହଜା ହୋଇ
ଅବାଟକୁ ବାଟ କେବେ ତୁ ଦେଖାଉ
ନୂଆ କିଛି ଶିକ୍ଷା ଦେଇ।.....୬
ଚୋର ତୋତେ ଲୋଡ଼େ ସାଧୁ ତୋତେ ଲୋଡ଼େ
ଦୁ଼ଃଖୀ ସୁଖୀ ପଦଚାରୀ
କର୍ମମୟ ପରା ତୋ ଜୀବନ ସାରା
ବିରତି ନାହିଁ ଯେପରି।.....୭
ବରଷାର କୋପ ଶୀତର ପ୍ରକୋପ
ଗ୍ରୀଷ୍ମର ଉତ୍ତାପ ସହୁ
କେବେ ରକ୍ତପାତ କେବେ ବଜ୍ରପାତ
ବର୍ଜ୍ୟବସ୍ତୁ ଦେହେ ବହୁ।.....୮
ତଥାପି ମନରେ ନାହିଁ ତୋର କ୍ଷୋଭ
ପଥର ପରାୟେ ଶୋଇ
ଗମନାଗମନ ସୁବିଧାରେ ରତ
ମନୁଷ୍ୟର ସେବା ପାଇଁ।......୯
ଅନନ୍ତ ଅସୀମ ପାଏ ନାହିଁ ଆଖି
ତୁ ବିଶାଳ ଦେହଧାରୀ
ଧରଣୀ ମା' ପରେ ସୁନ୍ଦର ଚିତ୍ରଣ
ଦେଇଛୁ ତୁ ଆଙ୍କି କରି।......୧୦
