ରାଜନୀତି
ରାଜନୀତି
ଆହା, ଏ କି ଯୁଗ ହେଲାରେ
ଗାଁ ଗଣ୍ଡାଠାରୁ ସହର ସବୁଠି
ରାଜନୀତିଆଙ୍କ ପାଲାରେ।
ଗୋଟେ ଆଲୋଚନା ସବୁଠି
ପାନ ଦୋକାନଠୁ ପାର୍ଲ୍ୟାମେଣ୍ଟ ଯାଏ
ଯୋଉଠି ଦେଖିବ ସେଇଠି।
ଭେଣ୍ଡିଆ ଟୋକାଏ ମାତନ୍ତି
ରାଜନୀତିଆଙ୍କ ହାତର କଣ୍ଢେଇ
ପରିକା ହେଇକି ନାଚନ୍ତି।
କାମଧନ୍ଦା ସବୁ ଛାଡିକି
ନେତାଙ୍କ ପଛରେ ଗୋଡ଼େଇ ଗୋଡ଼େଇ
ବୁଲୁଥାନ୍ତି ରଡି ଛାଡିକି।
ଘରେ ତେଣେ ହାଣ୍ଡି ଗଡୁଛି
ହାଣ୍ଡିକୁ ଚାଉଳ ଯୋଗେଇବା ପାଇଁ
ବାପ ଝାଳନାଳ ହୋଉଛି।
ପୁଅଟା ନାଗର ସାଜୁଛି
ବୁଲିବାଲି ଆସି ଚୁଲି ଛୁଇଁ ଦେଇ
ମାଆକୁ ଖାଇବା ମାଗୁଛି।
ଟୋକାଏ ବାତରା ହେଇକି
ସାହିର ଛକରେ ସମୟ କାଟନ୍ତି
ତୁଚ୍ଛା ଗୁଲିଖଟି କରିକି।
ମଦ ସିଗାରେଟ୍ ଗଞ୍ଜେଇ
କିଏ କେତେ ନିଶା ହଜମ କରୁଛି
କରନ୍ତି ସେଥିରେ ବଡେଇ।
ଅକଲ ନାହିଁ କି ମୁଣ୍ଡରେ
ତମେ ବୁଡିଗଲା ବେଳେ ସେ ନେତାଏ
ପଡ଼ିବେ କି ତୁମ ପିଠିରେ?
ଖସିଗଲା ଗୋଡ ତଳକୁ
ବେଳ ଥାଉଁ ବନ୍ଧ ବାନ୍ଧରେ କୁମର
ହେଜିବୁ ତୁ କେତେ ବେଳକୁ।
ସୁଧୁରି ଯାଅରେ ପିଲାଏ
ହଳଦୀବସନ୍ତ ଚଢ଼େଇ ପରିକା
ଧୋବଧାଉଳିଆ ନେତାଏ।
ନିର୍ବାଚନ ବେଳ ଆସିଲେ
ତୁମମାନଙ୍କର କାନ୍ଧେ ଗୋଡ଼ ରଖି
ତରିଯାନ୍ତି ବୈତରଣୀ ହେଳେ।
