ପୂଣ୍ୟରାଜୁ ମହୀ ତଳେ
ପୂଣ୍ୟରାଜୁ ମହୀ ତଳେ
ଜାଳିବି ସଳିତା ତୋ ଦୁଆରେ ମାତା
ଗୁନ୍ଥିବି କୁସୁମ ହାର
କଳା ପାଟ ଶାଢୀ ରତନର ଚୁଡ଼ି
ନାଇଦେବି ହାତେ ତୋର ।।
କଟିରେ କିଙ୍କିଣୀ ନାସାରେ ବଷଣୀ
ମସ୍ତକରେ ସିନ୍ଦୂର ଗାର
ଶୁଦ୍ଧ,ପୂତ ଜଳେ ଚନ୍ଦନ ଚୁଆରେ
ଧୋଇଦେବି ତୋ ପୟର ।।
ଟେକିବି ତୋ ଛତି ନକରିଣ ଭିତି
ଗାଇ ମଙ୍ଗଳ ସଙ୍ଗୀତ
ତୋ ଆଦେଶ ମାନ କରିବି ପାଳନ
ଲଂଘି ସାଗର ସରିତ ।।
ଉଡାଇବି ନେତ ହୋଇ ମୁଁ ମରୁତ
ଦେବି କୁଙ୍କୁମ, କସ୍ତୁରୀ
ସାହା ହୁଅ ମା’, ଆସି ହୁଅ ଠିଆ
ପାପ ହୋଇଲାଣି ଭାରି ।।
ପାପି ଅନ୍ତରେ ତା ଧରମ ନଉକା
ହେଲାଣି ତ ଟଳମଳ
ବାରେ ହୁଅ ସାହା ଆଗୋ ମହାମାୟା
ପାପ ରାଶି କରି ଦୂର ।।
ସଂସାର ସାଗରେ ପ୍ରକୃତି ବକ୍ଷରେ
ଏ ଘୋର ଅନ୍ଧାର କାଳେ
ଆଶାର ଆଲୋକ କରୁ ରେଖାପାତ
ପୁଣ୍ୟ ରାଜୁ ମହୀତଳେ ।।
ଶାରଦୀୟ ଶୁଭ ସକାଳେ ଲୋ ମାତ
ତୋ ପଦ୍ମ ପୟର ତଳେ
ପ୍ରଫୁଲ୍ଲ ଅଧମ କରୁଛି ଜଣାଣ
ଶୁଭ ପୁଷ୍ପାଞ୍ଜଳି ଫୁଲେ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
