ପୁତ୍ରବଧୂ
ପୁତ୍ରବଧୂ


ପୁଲକିତ ମୋର ଭାବନାରେ ନାନା
ସ୍ବପ୍ନ ଖେଳେ ମଧୁ ମଧୁ
ଫୁଲ ବରଷାଇ ସ୍ବାଗତ କରିବି
ଆସ ଆସ ପୁତ୍ରବଧୂ ।
ଅନିଷାରେ ତୁମ ଉନ୍ମୁକ୍ତ ରହିଛି
ମୋ' ହୃଦନିଳୟ ଦ୍ବାର
ଭେଟି ଦେବା ପାଇଁ ସଜାଡି ରଖିଛି
ମମତାର ଉପହାର ।
ଉଲ୍ଲାସ ଲହରୀ ଯାଇଥିବ ଭରି
ଥୋଉଥୋଉ ତୁମେ ପାଦ
ସୁଖସମୃଦ୍ଧିର ବନ୍ଦାପନା ସାଥେ
ବାଜୁଥିବ ଶଙ୍ଖନାଦ ।
ସୁହାଗିନୀ ବେଶେ କୁଳଲକ୍ଷ୍ମୀ ପାଶେ
ପରିଜନ ଥିବେ ଘେରି
କୋମଳ ପୟରୁ &
nbsp; ରୁଣୁଝୁଣୁ ସ୍ବନ
ଶୁଣୁଥିବି କାନ ଡେରି ।
ନିଶ୍ଚିନ୍ତ ରହିବି ଅର୍ପି ତୁମ କରେ
ଅନ୍ତରେ ସଞ୍ଚିତ ପ୍ରୀତି
ଅଞ୍ଚଳ ପ୍ରସାରି ଗ୍ରହଣ କରିବ
ସମ୍ଭାଳି ଏ' କୁଳରୀତି ।
ଝଡଝଞ୍ଜା ସହି ସାଇତିଛି ଯାହା
ଏଯାଏଁ ସମୟ-ସ୍ରୋତେ
ପରମ୍ପରା ଭାବେ ଆଗକୁ ବଢାଇ
ଉଶ୍ୱାସ କରିବ ମୋତେ ।
ଆସ ବଧୂ ତୁମ ସିନ୍ଦୂର ଦୀପ୍ତିରେ
ଅନ୍ବେଷି ମୁଁ ସୁଖାଶ୍ରୟ
ଅନୁରାଗଭରା ସ୍ନେହ ଶ୍ରଦ୍ଧା ପାଇ
ରହିଥିବି ନିରାମୟ ।