ପୁରୁଷୋତ୍ତମ ଦେବ 41
ପୁରୁଷୋତ୍ତମ ଦେବ 41
ପୁରୁଷୋତ୍ତମ ଦେବ (41)
ଐତିହାସିକ କାବ୍ୟାଂଶ
ଛେରାପହଁରାର ସମୟ ଆସନ୍ତେ
ଉତ୍କଳ ମଉଡମଣି,
ବଡ ଠାକୁରଙ୍କ ରଥେ ପହଞ୍ଚିଲେ
ଘେନି ରତ୍ନ ସମାର୍ଜନୀ।
ପଣ୍ଡା ପଢିଆରୀ ମେଳେ ତାଳଧ୍ୱଜ-
ରଥ ସମାର୍ଜନ ଶେଷେ,
ସୁଭଦ୍ରାଙ୍କ ରଥ ଓଳାଇ ନରେଶ
ପହଞ୍ଚିଲେ ନନ୍ଦିଘୋଷେ।
ହୁଳହୁଳି,ହରିବୋଲ ଶବଦରେ
କମ୍ପିଉଠଇ ଆକାଶ,
'ଜୟ ଜଗନ୍ନାଥ,ଜୟ ଗଜପତି'
ନାଦେ କମ୍ପେ ଚତୁର୍ପାର୍ଶ୍ୱ।
ଘଣ୍ଟା,ଘଣ୍ଟି,ଖୋଳ,ମର୍ଦଳ ବାଜଇ
ଭକ୍ତ ବଡଦାଣ୍ଡେ ପୂର୍ଣ୍ଣ,
ଯୋଡହସ୍ତ ହୋଇ,ରହିଛନ୍ତି ଚାହିଁ
ନନ୍ଦିଘୋଷେ ଜନାର୍ଦନ।
ଝିପି ଝିପି ହୋଇ ଆକାଶରୁ ଝରେ
ଟୋପା ଟୋପା ଜଳଧାର,
ଭକତଙ୍କ ଶ୍ରମ ବିନୋଦନେ ଇନ୍ଦ୍ର,
ସିଂଚୁଛନ୍ତି ଅବା ନୀର।
ଏ ସମୟେ ମହାମନ୍ତ୍ରୀ ବିମ୍ବାଧର
ସଙ୍ଗେଘେନି କାଞ୍ଚିଜେମା,
ଉପସ୍ଥିତହେଲେ ନନ୍ଦିଘୋଷେ ଯହିଁ
ଥିଲେ ନୃପ ମହାତମା।
କନ୍ୟାବେଶେ ସୁସଜ୍ଜିତା ରାଜଜେମା,
ମଥାରେ ନାଲି ଓଢଣୀ,
ପାଦରେ ଅଳତା,ମୁଖଚନ୍ଦ୍ର ଟୋପା-
ଚନ୍ଦନେ ସଜ୍ଜିତ ପୁଣି।
ହାତେ ଧରିଛନ୍ତି ପୁଷ୍ପମାଳା ବରି-
ବାକୁ ଶ୍ରେଷ୍ଠ ଚଣ୍ଡାଳକୁ,
ଯାହା କହିଛନ୍ତି ଧର୍ମପିତା,ତିଳେ-
ତିଳେ ମାନିଛନ୍ତି ତାକୁ।
ଜଗନ୍ନାଥପାଦେ ପ୍ରଣମି କୁମାରୀ
ଠିଆହେଲେ ରଥକୋଣେ,
ଛେରାପହଂରାର ଅନ୍ତେ ଗଜପତି
ପହଞ୍ଚିଲେ ସେହିସ୍ଥାନେ।
ମନ୍ତ୍ରୀଙ୍କୁ ଅନାଇଁ କହନ୍ତି "ଗୋସାଇଁ !
କାହିଁ ସେ ଯୋଗ୍ୟ ଚଣ୍ଡାଳ ?
ଯାହାସଙ୍ଗେ ଜେମା ହେବେ ପରିଣୀତା,
ଆଜି ଏ ପବିତ୍ର ସ୍ଥଳ।"
ଦେଖି ଜେମାଙ୍କର ତହିଁ ପଦାର୍ପଣ
ପରିଣୀତା ବେଶ ଭାବେ,
ନିଶବ୍ଦ ହୋଇଲା ବଡଦାଣ୍ଡ ତୁନି-
ହୋଇ ଚାହୁଁଥିଲେ ସର୍ବେ।
ଛୁଞ୍ଚି ପକାଇଲେ ହୋଇବ ଶବଦ,
ଶୂନ୍ୟତା ଏହିପ୍ରକାରେ,
ବଡଦାଣ୍ଡପୂର୍ଣ୍ଣ ପ୍ରଜାଙ୍କୁ ଅନାଇ
ମନ୍ତ୍ରୀ କହିଲେ ଉଚ୍ଚରେ।
" ଶୁଣ ଶୁଣ ଉପସ୍ଥିତ ପ୍ରଜାଗଣ,
ରାୟ କରିଥିଲେ ପଣ,
କରିବା ନିମନ୍ତେ କାଞ୍ଚି ରାଜଜେମା
ଚଣ୍ଡାଳକୁ ସମର୍ପଣ।
କାରଣ ଏହାର ସଭିଙ୍କୁ ଗୋଚର,
ଦିନେ କାଞ୍ଚି ନରସାଇଁ,
ଠାକୁରରାଜାଙ୍କୁ ଦେଇଥିଲେ ଅପ-
ମାନ ମେହେନ୍ତର କହି।
ତିନି ଠାକୁରଙ୍କ ରଥ ସମାର୍ଜନା
ଝାଡୁଧରି ସେ କରନ୍ତି,
ସେଥିପାଇଁ ଜଗତରେ ସିନା ତାଙ୍କୁ
ଠାକୁରରାଜା ବୋଲନ୍ତି।
କିନ୍ତୁ ଏହା ସତ୍ୟ ଚଣ୍ଡାଳ ପରି ତ,
କାର୍ଯ୍ଯ ଅଟେ ରାଜାଙ୍କର,
ପ୍ରଭେଦ ମାତର ଜଗନ୍ନାଥଙ୍କର
ଅଟନ୍ତି ସେ ମେହେନ୍ତର।
କାଞ୍ଚିରାଜାଙ୍କର ଅପମାନ ପ୍ରତି-
ଶୋଧ ନେବାପାଇଁ ରାୟେ,
ଆଜ୍ଞା ଦେଇଥିଲେ ମୋତେ,ଖୋଜିବାକୁ
ଶ୍ରେଷ୍ଠ ଚଣ୍ଡାଳ ଗୋଟିଏ।
ବହୁ ଗ୍ରାମ,ଦେଶେ ବୁଲି ବୁଲି ଶେଷେ
ପାଇଛି ଶ୍ରେଷ୍ଠ ଚଣ୍ଡାଳ,
ଅନ୍ୟ କେହି ନୁହେଁ,ଅଟନ୍ତି ସେ ନିଜେ
ଶ୍ରୀପୁରୁଷୋତ୍ତମ ବୀର।
ହାତେ ଧରି ସମାର୍ଜନୀ,ଦେଖ ରଥ-
ଓଳାଉଛନ୍ତି ମଣିମା,
ଶ୍ରେଷ୍ଠ ଚଣ୍ଡାଳ ସେ ନୁହନ୍ତିକି?
ଦୋଷ ଥିଲେ ମୋର ହେଉ କ୍ଷମା।
ରାଜସୁତାଙ୍କର ସେହୁ ଯୋଗ୍ୟବର,
ଏ ମୋର କ୍ଷୁଦ୍ର ବୁଦ୍ଧିରେ,
ପ୍ରଜାଙ୍କର ହେଲେ ସମର୍ଥନ ତାହା,
ଜଣାଇବି ଶ୍ରୀଛାମୁରେ।"
"ସାଧୁ ମହାମନ୍ତ୍ରୀ ସାଧୁ"ଶବଦରେ
ବଡଦାଣ୍ଡ ହେଲା ପୂର୍ଣ୍ଣ,
ହତସ୍ତମ୍ଭହୋଇ ମନ୍ତ୍ରୀଙ୍କୁ ଅନାଇ
ରହିଲେ ପୁରୁଷୋତ୍ତମ।
ନିଜ କଥାଜାଲେ ନିଜେ ଛନ୍ଦିହେଲେ
ଉପାୟ ନଥିଲା ଆହା !
କାଞ୍ଚିଜେମା ସଙ୍ଗେ ପବିତ୍ର ବନ୍ଧନେ
ବାନ୍ଧିହେଲେ ନରନାହା।
ବିମ୍ବାଧରଙ୍କର ବୁଦ୍ଧିଆଗେ ହାର-
ମାନି ନୃପ ହେଲେ ତୋଷ,
କାଞ୍ଚିଗଡେ ଦୂତ ପଠାଇ ତୁରନ୍ତ
ଦେଲେ ଏ ଶୁଭ ସନ୍ଦେଶ।
ପରିଣୟ ଅନ୍ତେ ପଦ୍ମାବତୀ ନାମେ
ପରିଚିତା ହେଲେ ରାଣୀ,
ପ୍ରତି ଦିବସରେ ଯାଇ ଶ୍ରୀମନ୍ଦିରେ
ପୂଜୁଥିଲେ ଚକ୍ରପାଣି।
(ପୁରୁଷୋତ୍ତମ କାବ୍ୟ ସମାପ୍ତ।ଓଁ ଶ୍ରୀଶ୍ରୀଜଗନ୍ନାଥ)