STORYMIRROR

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ (36)

ପୁରୁଷୋତ୍ତମ ଦେବ (36)

2 mins
328


ପୁରୁଷୋତ୍ତମ ଦେବ (36)

ଐତିହାସିକ କାବ୍ୟାଂଶ


ପୁରୀ ଶ୍ରୀମନ୍ଦିରେ ପବିତ୍ର ବେଢାରେ

ପଶ୍ଚିମ ଦୁଆର ପାଶେ,

ସ୍ଥାପନା କରିଲେ 'କାଞ୍ଚିଗଣପତି'

ପୁରୁଷୋତ୍ତମ ହରସେ।


ଶ୍ରୀମନ୍ଦିର ପୂର୍ବ ବେଢାରେ ନରେଶ

ସ୍ଥାପି ରାଧାକାନ୍ତ ମୂର୍ତ୍ତି,*

ତାରିଣୀଙ୍କ ସଂସ୍ଥାପନା କଥା ଚିନ୍ତା

କରୁଥିଲେ ଗଜପତି।


ଗୋବିନ୍ଦଭଞ୍ଜଙ୍କ ହୃଦ ଅଧିକାର

କରିଥିଲେ ମା'ତାରିଣୀ,

ଶୟନେ ସ୍ୱପନେ ଜାଗରଣେ ଭଞ୍ଜ

ହେଲେ ମାତା ନାମ ଗୁଣି।


ଭାଳୁଥାନ୍ତି ବୀର ' ସତେ ମାତା ମୋର

ହୋଇବେ ଆରାଧ୍ୟା ଦେବୀ ?

କେଉଁଝର ଗଡେ ନେଇ ମାତାଙ୍କୁ ମୁଁ

ଉଆସେ ସତେ ପୂଜିବି !


ଏଡେ ଭାଗ୍ୟ ସତେ ହେବ, ଗଜପତି

ପ୍ରସନ୍ନ ହୋଇବେ ମୋରେ,

ତାରିଣୀ ମାଆଙ୍କ ବିମଳ ମୂରତି

ସମର୍ପିବେ ମୋ ହାତରେ !


କିପରି ବା ମୁହିଁ ମାଗିବି ରାଜାଙ୍କୁ

ମାତା ତାରିଣୀଙ୍କ ମୂର୍ତ୍ତି ?"

ଏମନ୍ତ ବିଚାରୁଁ ଗୋବିନ୍ଦଙ୍କ ପାଶେ

ପହଞ୍ଚିଲେ ଗଜପତି।


କୋଳାଗ୍ରତ କରି ଗୋବିନ୍ଦଙ୍କୁ ଉଚ୍ଚେ-

ପ୍ରଶଂସିଲେ ନରବର,

ବୋଇଲେ "ଉତ୍କଳ ସିଂହ ! ତୁମ୍ଭେ ଗର୍ବ-

ଗଉରବ ଓଡିଆର।


ଯା'ମାଗିବ ମାଗ ଆହେ ମହାଭାଗ

ଶୌର୍ଯ୍ୟ,ବୀର୍ଯ୍ୟ ମହାସିନ୍ଧୁ,

ତୁମ୍ଭ ସନମାନ ପାଇଁକି କାର୍ପଣ୍ୟ

ନକରିବି କେବେ ବନ୍ଧୁ।"


ପାଇ ଏ ସୁଯୋଗ ଭଞ୍ଜ ମହାଭାଗ

ବୋଇଲେ "ସୁଦୟା ହେଉ,

ତାରିଣୀ ମାତାଙ୍କୁ କେଉଁଝର ନେବି

ଆଜ୍ଞାହେଉ ମହାବାହୁ।"


ସହାସ୍ୟବଦନ ଉତ୍କଳ ରାଜନ

ବୋଇଲେ " ମୁଁ କିବା ଛାର !

ମାଆଙ୍କୁ ଯେବେଟି ମନାଇଁ ପାରିବ

ସଙ୍ଗେ ଘେନିଯାଅ ବୀର।


ଦୟାବହି ଜଗନ୍ମାତା ଆସିଛନ୍ତି

ଆନନ୍ଦେ ଉତ୍କଳ ଭୁଇଁ,

ପୁରସ୍ତମ ଛାଡି କେଉଁଝର ଗଡେ

ରହିଲେ ମୋ ଚିନ୍ତା ନାହିଁ।"


ଗଜପତିଙ୍କର ସନମତି ପାଇ

ଉଲ୍ଲାସ ଗୋବିନ୍ଦ ବୀର,

ରୋମାଞ୍ଚିତ ହେଲା ଶରୀର ନେତ୍ରରୁ

ବହିଗଲା ଅଶ୍ରୁଧାର।


ତାରିଣୀ ବିଗ୍ରହ ଆଗରେ ନବରେ

କରିଲେ କେତେ ମିନତି,

"କର ବାରେ ଦୟା,କେଉଁଝରେ ମାଆ

ଆସ ହୋଇ ଅଧିଷ୍ଠାତ୍ରୀ।"


ନିଶାର୍ଦ୍ଧେ ଗୋବିନ୍ଦ ଦେଖିଲେ ସ୍ୱପନେ

ମାତା ଉଭା ତାଙ୍କ ଅଗ୍ରେ,

କି ସୁନ୍ଦର ଆହା ! ଅପରୂପ କାନ୍ତି

ସ୍ୱପନେ ସ୍ୱପନ ଲାଗେ।


ଦୁର୍ଗତି ନାଶିନୀ ଆୟୁଧ ଧାରିଣୀ

ବିଶ୍ୱବିମୋହିନୀ ଆଭା !

ଦେବଦତ୍ତ ସର୍ବ ଅସ୍ତ୍ରେ ବିଭୂଷିତା

ଦଶଭୁଜା ସ୍ୱୟଂପ୍ରଭା।


ମହା ଜ୍ୟୋତି ହୁଏ ନିର୍ଗମ ସତେକି

ଉଦିତ ସହସ୍ର ସୂର୍ଯ୍ୟ !

ସେହି ଅଲୌକିକ ଜ୍ୟୋତି ଦେଖି ଭଞ୍ଜ

ହେଲେ ଚକିତ ଆଶ୍ଚର୍ଯ୍ଯ !


ରୋମାଞ୍ଚିତ ହେଲା ଗୋବିନ୍ଦଙ୍କ ଦେହ

ହୋଇ ଭଞ୍ଜ ଯୋଡହସ୍ତ,

ବିଶ୍ୱଧାତ୍ରୀ ଜଗନ୍ମାତାଙ୍କୁ ବୋଇଲେ

" ହେଲା ମୋ ଜୀବନ ସାର୍ଥ।"


କହିଲେ ଜନନୀ "ଶୁଣ ବୀରମଣି !

ପ୍ରସନ୍ନ ପୂଜାରେ ତୋର,

ଯିବି ସଙ୍ଗେ ତୋର ମନେରଖ ବୀର

ସର୍ତ୍ତ ଗୋଟିଏ ମୋହର।


ଚାଲୁଥିବୁ ତୁହି ଆଗେ ଆଗେ,ପଛେ

ପଛେ ଚାଲୁଥିବି ମୁହିଁ,

ଯେଉଁଠାରେ ଫେରି ପଛକୁ ଚାହିଁବୁ

ପଥର ମୁଁ ଯିବି ହୋଇ।


ରୁମୁ ଝୁମୁ ମୋର ପାଉଁଜୀ ଶବଦ

ବାଜୁଥିବ କାନେ ତୋର,

ଜାଣିବୁ ସେଥିରୁ ତୋ ଅନୁଗମନ

କରୁଛି ମାତା ତୋହର।


ଥରେ ମୁଁ ପଥର ହେଲେ ମୋତେ ବୀର

ଘୁଞ୍ଚାଇବା ଅସମ୍ଭବ,

ସେହି ସ୍ଥାନେ ତୋଳି ମନ୍ଦିର ମୋପୂଜା

ଅର୍ଚ୍ଚନା କରିବୁ ଦେବ।"


ନିଦ୍ରା ଗଲା ଭାଙ୍ଗି ଗୋବିନ୍ଦ ଭଞ୍ଜଙ୍କ

ଦେହ ହେଲା ରୋମାଞ୍ଚିତ,

ଗଜପତିଙ୍କର ଆଗେ ବଖାଣିଲେ

ସକଳ ସ୍ୱପ୍ନ ବୃତ୍ତାନ୍ତ।


ଶୁଣି ଆନନ୍ଦିତ ଶ୍ରୀପୁରୁଷୋତ୍ତମ,

ବୋଇଲେ"ହେ ବନ୍ଧୁବର !

କେଡେ ଭାଗ୍ୟବଳେ ସ୍ୱପ୍ନେ ଦେଖାଦେଲେ

ମାତା ତାରିଣୀ ତୁମ୍ଭର !


ତୁମ୍ଭର ଫେରିବା ଆୟୋଜନ କାଲି

କରିବି ମୁଁ ପ୍ରଭାତରେ,

ସଙ୍ଗେ ଘେନି ମାତା, ଭଞ୍ଜ ବଳବନ୍ତା

ଫେରିଯାଅ କେଉଁଝରେ।"


(*ପରବର୍ତ୍ତୀ ସମୟରେ ରାଧା-ରାଧାକାନ୍ତଙ୍କୁ ମନ୍ଦିର ପରସର ଭିତରୁ ନେଇ କାହିଁକି ବାହାରେ ସ୍ଥାପନା କରାଗଲା,ତା'ଉପରେ ଏକ ରୋଚକ କାହାଣୀ ଅଛି।ସମୟ କ୍ରମେ ବର୍ଣ୍ଣିତ ହେବ।)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍