ପୁରୁଷୋପୁରୁଷୋତ୍ତମ ଦେବ(24)
ପୁରୁଷୋପୁରୁଷୋତ୍ତମ ଦେବ(24)
ପୁରୁଷୋତ୍ତମ ଦେବ( 24)
ଐତିହାସିକ କାବ୍ୟାଂଶ
ପ୍ରଭୁଙ୍କ ମୁଦ୍ରିକା ଛୁଇଁ ମାଣିକର
ଦେହ ହେଲା ଉଲ୍ଲସିତ,
ଅପୂର୍ବ ବାତ୍ସଲ୍ୟ ହୃଦ କନ୍ଦରକୁ
କରିଦେଲା ଆନ୍ଦୋଳିତ ।
ଭାସିଗଲା ଆଖିଆଗେ 'ହରିଆ'ର
ସୁନ୍ଦର ଚିକ୍କଣ ମୁହଁ,
ହେଉଥିଲା ପ୍ରତିଧ୍ବନିତ କାନରେ
'ମାଆ' ଡାକ ଅହରହ।
ଚିକ୍କଣକାଳିଆ ମୁହଁଟି ତାହାର
ମମତା ଭୋଖିଲା ଥିଲା,
ବାତ୍ସଲ୍ୟ ବାଦଲ ବରଷା, ମାଣିକ
ମନ ସିକ୍ତ କରିଦେଲା।
ମଳିନ କାନିରେ ,ଯେଉଁଠାରେ ମୁହଁ
ପୋଛିଥିଲେ ଚକ୍ରଧର,
ହୃଦରେ ଲଗାଇ ମାଣିକ ତାହାକୁ
ଚୁମ୍ବ ଦିଏ ବାରମ୍ବାର।
ମମତାର ଅଶ୍ରୁ ଝରିଯାଉଥିଲା
ମାଣିକ ଦୁଇ ଆଖିରୁ,
ଭାବୁଥିଲା " ହୃଦ ଚନ୍ଦନକୁ ଆଉ
ପାଇବି ମୁଁ କେଉଁଠାରୁ ?
କୁଆଡୁ ଆସିଲା କାହିଁ ଚାଲିଗଲା
ଲଗାଇ ବାତ୍ସଲ୍ୟ ଲୀଳା,
ଗୋଟିଏ କ୍ଷଣରେ କୋଟିଏ ଜନ୍ମର
ମାଆ ହେବା ସୁଖ ଦେଲା।"
ଯେଉଁ ମୁଦ୍ରିକାର ପରଶ ମନକୁ
କରେ ଏତେ ଭାବ ଭୋଳ,
ସାମାନ୍ୟ କି ତାହା,ମଣ୍ଡେ ପରା
ବିଶ୍ୱସମ୍ରାଟ କର କମଳ !
ଯାହାର ପରଶ ବ୍ରହ୍ମାଦି ଦେବତା
ପାଇଁ ହୁଏ ଅସମ୍ଭବ,
କୋଟି ତପବଳେ ମାଣିକପାଇଁ ସେ
ପରଶ ହେଲା ସମ୍ଭବ।
ଠାକୁରଙ୍କର ଏ ମାନବୀୟ ଲୀଳା
ଛଡା ଆଉ କିଛି ନୁହେଁ,
ସଂସାର ତୃଷା ଯେ ତୃପ୍ତ କରିପାରେ,
ସିଏ କି ଶୋଷିଲା ରହେ ?
ମାଣିକର ଦହିପସରା କୋଟିଏ
ଅପୂର୍ବ କି ଠାକୁରଙ୍କୁ !
କଲେ ସିନା ଲୀଳା,ପ୍ରଜାଙ୍କ କଷଣ
ରାଜାଙ୍କୁ ଜଣାଇବାକୁ।
ପତିତ ଜନଙ୍କୁ ଉଦ୍ଧାରିବାପାଇଁ
ପ୍ରଭୁଙ୍କର ଏହି ଲୀଳା,
ମମତାର ମୂଲ ଦେଖାଇବାପାଇଁ
ରତ୍ନମୁଦି ଦିଆ ଖେଳା।
ମାଆର ମମତା ଆଗରେ କୋଟିଏ
ରତ୍ନମୁଦିର କି ମୂଲ ?
କଳିଯୁଗେ ହେଲା ମାଣିକ ,ଦ୍ୱାପର
ଯଶୋଦାଙ୍କ ସମତୁଲ।
ଭାବଭୋଳାଙ୍କର ଭାବେ ଭୋଳହୋଇ
କେତେ ବେଳ ବିତିଲାଣି,
ବେଳ ଗଡିବାକୁ ଆରମ୍ଭ ହେଲାଣି
ମାଣିକ ନପାରେ ଜାଣି।
ଗଜପତିଙ୍କର ସଇନ ଗର୍ଜନେ
ତନ୍ଦ୍ରା ପାଇଲା ସେ ଫେରି,
ଉତ୍କଳ ବାହିନୀ ମାଡି ଆସୁଛନ୍ତି
ମେଦିନୀ କମ୍ପନ କରି।
ସୈନ୍ୟ ଅଗ୍ରଭାଗେ ସେନାପତି ସଙ୍ଗେ
ଥିଲେ ଉତ୍କଳ କେଶରୀ,
ପାଟହାତୀ ପୃଷ୍ଠେ ପୁରୁଷଉତ୍ତମ
ବସିଥିଲେ ଖଡ୍ଗଧରି।
ପାଇକ ହୁଙ୍କାର ସଙ୍ଗେ ବୀରବାଦ୍ୟ
ବାଜୁଥିଲା ରହି ରହି,
ଜୟ ଜଗନ୍ନାଥ, ଜୟ ଗଜପତି
ଶବଦେ କମ୍ପିତ ମହି।
ସନ୍ଦେହ ରହିଲା ନାହିଁ ମାଣିକର
ଏହି ଗଜପତି ବୋଲି,
ପ୍ରଭୁଙ୍କର ରତ୍ନମୁଦି ହାତେ ଧରି
ରହିଲା ବାଟ ଓଗାଳି।
କ୍ରମଶଃ------
