STORYMIRROR

Geetanjali Prusty

Others

3  

Geetanjali Prusty

Others

ପୁଲ୍ଲକିତ ହେଉ ଧରା

ପୁଲ୍ଲକିତ ହେଉ ଧରା

1 min
139


କୋଟି ଲାବଣ୍ୟକୁ ଉପହାସ କରି

ତୁମ ରୂପକାନ୍ତି ହସେ

କହ କଳାକାହ୍ନୁ କଳାଠାକୁର ହେ

ଏମିତି କାହିଁକି ଦିଶେ ll


ରଥ ପଥ ଆଜି ଶୋଭା ପାଉଅଛି

ତୁମ ଦିବ୍ୟ ସ୍ପର୍ଶ ପାଇ

ଦେବତା ମାନବ ସର୍ବେ ଏକାକାର

ଭାବ ଭକ୍ତି ସୁଧା ନେଇ ll


କେଡ଼େ ଅନୁପମ ରହସ୍ୟ ଗହନ

ବୁଝିବାକୁ କେ ସମର୍ଥ

ଜଗତ କରତା ଆହେ ଜଗନ୍ନାଥ

କରୁଅଛି ମଥାନତ ll


ଦୟଣା କୁସୁମ ତୁଳସୀର ହାର

କଣ୍ଠେ ପାଉଅଛି ଶୋଭା

ସୁବର୍ଣ୍ଣର ଚିତା ଶ୍ରୀଅଙ୍ଗ ଶୋଭିତା

ଲକ୍ଷେ ଜ୍ୟୋତିପୂର୍ଣ୍ଣ ଆଭା ll


ରତ୍ନ ସିଂହାସନୁ ଆସିଛ ଓହ୍ଲାଇ

ସ୍ୱଦେହରେ ବଡ଼ ଦାଣ୍ଡେ

ଭାଇ ଭଉଣୀଙ୍କୁ ଦେଖି ଭକ୍ତଗଣ 

ସ୍ଥାଣୁ ହୋଇଯାନ୍ତି ଦଣ୍ଡେ ll


ଶଙ୍ଖକ୍ଷେତ୍ର ଆଜି ପଡୁଛି ଉଛୁଳି

ରୋମାଞ୍ଚିତ ରମ୍ୟବନ

ଶ୍ରୀଅଙ୍ଗ ପରଶେ ବହୁଛି ସମୀର

ଛୁଇଁ ଛୁଇଁ ଭକ୍ତ ଜନ ll


ବଡ଼ଦଣ୍ଡ ଧୂଳି ଆବେଗେ ଅସ୍ଥିର

ଅସୁମାରୀ ଆଶା ନେଇ

ଭକ୍ତ ଭଗବାନ ଏକତ୍ର ଯେଉଁଠି

ନିର୍ବିକାର ଭାବ ବହି ll


କି ମାୟା ତୁମର ହଟିଆ ନାଗର

ଭକ୍ତ ମନ ଜିଣା ରୂପ

ହରିବୋଲ ସଙ୍ଗେ କମ୍ପେ ହୁଳହୁଳି

ସଂକୀର୍ତ୍ତନ ଅନୁରୂପ ll


ରଥ ବି ବିଭୋର ପଥ ବି ବିଭୋର

ଭକତ ବିଭୋର ପଣ

ଆନନ୍ଦେ ଉଛୁଳି ଅଶ୍ରୁ ପଡ଼େ ଝରି 

କି ଭାବ ମନମୋହନ ll


ପଣ୍ଡା ପଢିହାରୀ ଦଇତା ପତିଙ୍କ

ଆବେଗିକ ଭାବ ଧାରା

ନାଚେ ଦେବଦାସୀ ନାଚୁଛି ଶ୍ରୀକ୍ଷେତ୍ର

ଶ୍ରୀଜୀଉଙ୍କ ଯାତ୍ରା ପରା ll


କିଏ ଶୁଣାଉଛି କିଏବା ଶୁଣୁଛି

ତୁମ ଲୀଳା ଖେଳା ରାଜି

କିଏ ଦେଖାଉଛି କିଏବା ଦେଖୁଛି

ଶତ ଶୋଭାଙ୍ଗନ ସୃଜି ll


ସଜାଇ ରଖିଛି ମନ ବଡ଼ଦାଣ୍ଡ

ପ୍ରଭୁ ତୁମ ପ୍ରତୀକ୍ଷାରେ

ଆସିବ କି କେବେ ଶ୍ରଦ୍ଧା ଟିକେ ନେଇ

ଭିଜି ଯିବି କରୁଣାରେ ll


ଆତ୍ମା ପରମାତ୍ମା ମହାମିଳନରେ

ପୁଲ୍ଲକିତ ହେବ ଧରା

ଉଛୁଳି ଉଠିବ ଆନନ୍ଦ ଉଲ୍ଲାସ

ପୁଣ୍ୟ ତପୋବନ ସାରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍