ପ୍ରତିଶୋଧ
ପ୍ରତିଶୋଧ
ବିଚିତ୍ର ସଂସାରେ ମାନବ ଜାତିଟା
ଅଟଇ ମହାବିଚିତ୍ର ।
କେତେବେଳେ କେଉଁ ଅଭିନୟ କରେ
ସେ ଗୋଟିଏ ଯେ ଜୋକର ।
କଥାରେ ଅଛି ଯେ ନରମାୟା ସଦା
ବିଷ୍ଣୁଙ୍କୁ ଯେ ଅଗୋଚର ।
ଷଡରିପୁ ଦ୍ବାରା ହୋଇ ବଶବର୍ତ୍ତୀ
ବଦଳାଏ ରୂପ ତା'ର ।
କେବେ ସୁଖରେ ହୁଏ ସେ ଆତ୍ମହରା
ଦୁଃଖେ ହୁଏ ଅତିଦୁଃଖୀ ।
କେବେ ଅଭିମାନେ ହୁଏ ଅଭିମାନୀ
କ୍ରୋଧେ ତା'ର ନାଲି ଆଖି ।
ବ୍ଯକ୍ତି-ବ୍ଯକ୍ତି ମଧ୍ୟେ ହୁଅଇ ଶତ୍ରୁତା
ଶତ୍ରୁତାରୁ କ୍ରୋଧୋତ୍ପନ୍ନ ।
କ୍ରୋଧେ ହୋଇ ପ୍ରତିଶୋଧ ପରାୟଣ
ଅନର୍ଥ କରଇ ପୁଣ ।
ପ୍ରତିଶୋଧ ନିଆଁ ଅତି ଭୟଙ୍କର
ଭୁଲେ ସେ ମାନବିକତା ।
ଅନ୍ଯର ସେ ଯାହା କରିଥାଏ କ୍ଷତି
ଆତ୍ମ କ୍ଷତି କରେ ଅଯଥା ।
ପ୍ରତିଶୋଧ ନୁହେଁ ମଣିଷପଣିଆ
ସବୁଠି ଲଭେ ଅଯଶ ।
ମାନବରୁ ହୁଏ ମହାଦାନବ ସେ
କରିଥାଏ ସର୍ବନାଶ ।
ଦୁର୍ଯ୍ୟୋଧନ ଥିଲା ମହା ପ୍ରତିଶୋଧୀ
ଚିନ୍ତିଲା ପାଣ୍ଡବ ଧ୍ବଂସ।
ଯୁଦ୍ଧକରି ଶେଷେ ହୋଇଲା ହତାଶ
ହୋଇଗଲା ସର୍ବନାଶ ।
ଭାରତ ବିରୋଧୀ ଅଟେ ପାକିସ୍ତାନ
ହୋଇ ଚିନ୍ ର ଦ୍ବାରସ୍ଥ ।
ଭାରତର ପ୍ରତିଶୋଧ ନେବାକୁ ଯେ
ହେଉଛନ୍ତି ଛଟପଟ ।
ଦେଶ-ଦେଶ ମଧ୍ଯେ ଶତ୍ରୁତା କାରଣୁ
ନେବାକୁ ଯେ ପ୍ରତିଶୋଧ ।
ଅଶାନ୍ତ ଭାବରେ ଦିଅନ୍ତି ଆହ୍ବାନ
କରିବାକୁ ଦ୍ବନ୍ଦ୍ବଯୁଦ୍ଧ ।
ଜ୍ଞାନହୀନ ପଶୁପକ୍ଷୀମାନଙ୍କର
ନାହିଁ କୁତ୍ସିତ ଭାବନା ।
ପରସ୍ପର ମଧ୍ଯେ ସୁଖରେ ବଞ୍ଚନ୍ତି
ହୋଇ ସର୍ବେ ଏକମନା ।
କ୍ରୋଧ ସୃଷ୍ଟି କରେ ହିଂସାର ଭାବନା
ହିଂସାରୁ ଯେ ପ୍ରତଶୋଧ ।
ଧର୍ମ-ଅଧର୍ମକୁ ଭୁଲିଯାଇ ନର
ନିରୀହଙ୍କୁ କରେ ବଧ ।
ଜେହାଦୀ ନାମରେ ଆତଙ୍କବାଦୀଏ
ହୋଇ ହିଂସାରେ ଉନ୍ମତ ।
ରାଷ୍ଟ୍ର ଓ ବ୍ଯକ୍ତିର କରନ୍ତି ବିନାଶ
ପ୍ରତିଶୋଧେ ଜର୍ଜରିତ ।
ପ୍ରତିଶୋଧ ନୁହେଁ ସମାଧାନ ପନ୍ଥା
କରିଲେ କାହା ଅନିଷ୍ଟ ।
ହିଂସା ପରିହରି ଅହିଂସାଚରିଲେ
ଶାନ୍ତି ହେବ ପ୍ରତିଷ୍ଠିତ ।
