ପ୍ରଥମାଷ୍ଟମୀ
ପ୍ରଥମାଷ୍ଟମୀ
ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ
ପ୍ରଥମାଷ୍ଟମୀ ହୁଏ,
ଗୃହର ପ୍ରଥମ କନ୍ୟା କି ପୁତ୍ର
ନବ ବସ୍ତ୍ରେ ଶୋଭା ପାଏ l
ପିନ୍ଧି ଅଳଙ୍କାର ହାତେ ସଜା ହୋଇ
ଗୃହ ମଧ୍ୟେ ପୂଜା ହୁଏ,
ଷଷ୍ଠୀ ଦେଵୀଙ୍କଠୁ ଆଶୀର୍ବାଦ ପାଇଁ
ମଥା ନଇଁ ଦେଇଥାଏ l
ସବୁ ଅଷ୍ଟମୀରୁ ଏ ଅଷ୍ଟମୀ ସାର
ଦେଇଥାଏ ମନେ ଖୁସି,
ଝିଅ ଅବା ପୁଅ ପିଠା ପଣା ଖାଇ
ଆନନ୍ଦେ ନାଚନ୍ତି ହସି l
କେତେ ଉନ୍ମାଦନେ ପୂର୍ବ ପ୍ରସ୍ତୁତି
ପୁରେ ପୁରେ ଲାଗିଥାଏ,
ହଳଦୀ ପତ୍ରରେ ଏଣ୍ଡୁରି ପିଠାଟା
ମନକୁ ମୋହିଥାଏ l
ମାମୁଁ ଘର ଖୁସି ଆଜି ମିଳିଥାଏ
ସ୍ନେହ ରହେ ଅପାସୋରା,
ସେଥିପାଇଁ ବୋଧେ ମାମୁଁଘର ଲୋକ
ଅଷ୍ଟମୀ ବନ୍ଧୁଟି ପରା l
ବରଷକୁ ଥରେ ଏ ଓଷା ପଡଇ
ଦେଇ ଅସରନ୍ତି ଖୁସି,
ପରିବାର ବନ୍ଧୁ ମଧ୍ୟେ ମିଠା ସମ୍ପର୍କ
ଆଣିଥାଏ ବେଶି ବେଶି l
ବଡ ଦେଉଳରେ ଜଗା ମଧ୍ୟ୍ୟ
ଏଦିନ ପଢୁଆଁ ହୁଏ,
ତାର ମାମୁଁଘର ମଥୁରା ନଗରୀ
କେତେ ଦ୍ରବ୍ୟ ଭେଟି ଦିଏ l
ଓଡିଆ ସଂସ୍କୃତି ଓଡ଼ିଆର ପର୍ବ
ମଧୁର ଏ ପରମ୍ପରା,
ବାରମାସେ ତେର ଯାତରା ଲାଗଇ
ସବୁଠୁ ନିଆରା ନିଆରା ।
