ପ୍ରଥମ ଗୃହିଣୀ
ପ୍ରଥମ ଗୃହିଣୀ


ସ୍ୱାମୀଙ୍କ ପରିବାର ସମ୍ଭାଳିଲା ଦିନୁ
ପରିଚୟ ମୋର ଗୃହିଣୀ
ସିଏ ମନକୁ ଭୁଲେଇ ମିଛରେ କୁହନ୍ତି
ମୁଁ କାଳେ ତାଙ୍କ ପାଟରାଣୀ
ହେଲେ ଚାଲାକି ତାଙ୍କର ପାରେ ଜାଣି
ତଥାପି କହେ ମୁଁ, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
ସବୁ କାମ ସାରି ଥକି ଗଲାବେଳେ
ଶାଶୁ ମୋ କୁହନ୍ତି,
କି ହେବ ଥିଲେ ଘରେ ଚାକରାଣୀ!!
ଯଦି ମୋ ପରି ଥିବଟି ଭୁଆଷୁଣୀ
ତଥାପି କହେ ମୁଁ, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
ମୁଁ ଶାଶୁଙ୍କ ଔଷଧ,ବାପାଙ୍କ ବଇଦ
ନଣନ୍ଦଙ୍କ ପାଲା,ଦିଅର ଝାମେଲା
ସଭିଙ୍କୁ ଚଳାଏ ଟାଣି ଟୁଣି
ସ୍ୱାମୀ କୁହନ୍ତି,ଏସବୁ କରେ ମୁଁ ଜାଣିଶୁଣି
ତଥାପି କହେ ମୁଁ, ହଁ
ଏଘରର ପରା ମୁଁ ପ୍ରଥମ ଗୃହିଣୀ ।।
ଯେବେ ଦେହେ ପଡ଼ିଲା ଏ ବାହାପାଣି
କେତେ ଖୁସି ହେଉଥିଲି ଭାବି ପୁଣି
ନେବି ସଭିଙ୍କର ମନ କିଣି
ଏବେ ମା' କୁହନ୍ତି,ଏତେ ସବୁ ତୁ ପାରିବୁନି
ତଥାପି କହେ ମୁଁ, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
ମନକୁ ମୋହର ଦେଲି ମାରି
ଅନେକ ଚିନ୍ତାରେ ହେଲି ଘାରି
ମୋତେ ସଭିଏଁ ଦେଖନ୍ତି ପର ମଣି
କୋହ ତଳ ଲୁହ ପିଇଯାଏ ମୁଁ ଜାଣିଶୁଣି
ତଥାପି କହେ ମୁଁ, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
ଯେବେ ସ୍ୱାମୀ ଛାଡିଗଲେ ପର ଦେଶ
କହିଗଲେ ମୋତେ,
ପାଳିବି ବୋଲି ମୁଁ ସବୁ ଆଦେଶ
ଯଦି ଜବାବ ଦେବି ମୁଁ କେବେ ପୁଣି
ମୋତେ ଘରୁ କାଢି ଦେବେ ଟାଣି ଟାଣି
ତଥାପି କହେ ମୁଁ, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
ଶାଶୁ ଘରେ କାଇଁ ଏତେ ନାଟ?
କିଛି ନ ବୁଝି ବସାନ୍ତି କେଡ଼େ ହାଟ
ନାକରେ ପୁରାନ୍ତି କେତେ ପାଣି
ଦେହ ସହି ସହି ମୋର କଞ୍ଚାପାଣି
ତଥାପି କହେ ମୁଁ, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
କୁହନ୍ତି,
ଆଣିବେ ଗୋଟେ ମୋ ସଉତୁଣୀ
କରିବେ ମୋତେ ତା ଚାକରାଣୀ
ମୋ ଡାକ ଶୁଣ ଆହେ ଦିନମଣି
ମୁଁ ସବୁ ସହିଯିବି ଦିନ ଗଣି ଗଣି।
ମୁଁ ତଥାପି କହୁଛି, ହଁ
ଏ ଘରର ପରା ମୁଁ ପ୍ରଥମ ଗୃହିଣୀ ।।
ମୋ କଥା ନ'ଧରିବେ ଜ୍ଞାନୀ ଗୁଣୀ
ସମାଜ ଭିତରେ ଘର କରିଛି ମୁଁ,
କଥା ବ୍ୟଥା ଭୁଲି
ସଂସାର ରଥକୁ ନେବି ଟାଣି।
ତେଣୁ ମୁଁ କହୁଛି, ହଁ
ଏଘରର ପରା ମୁଁ ପ୍ରଥମ ଗୃହିଣୀ ।।
**********************************
କାହା ମନରେ ଦୁଃଖ ଦେବା ପାଇଁ ନୁହେଁ, ବ୍ୟଙ୍ଗ ଲେଖାଟିଏ ଲେଖିଦେଲି । ଅନୁରୋଧ ରହିଲା ଦିହକୁ ନେବେ ନାହିଁ ।